ବରଗଡ:ବଜ୍ରକାପ୍ତା ବିକ୍ରି ପଡିଲା ମହଙ୍ଗା । ଜଙ୍ଗଲରୁ ବଜ୍ରକାପ୍ତା ଧରି ବ୍ୟାପାର କରୁଥିବା ଅପରାଧିକୁ କାବୁ କରିଛି STF ଟିମ । ବରଗଡ ଜିଲ୍ଲା ଜଙ୍ଗଲ ବିଭାଗର ସହାୟତାରେ STF ଟିମ ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ଚଢାଉ କରିଥିଲା । ଏନେଇ ଘଟଣା ସ୍ଥଳରେ ମହାଦେବ ମୁକ୍ତିଆ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ସୂଚନା । ଉକ୍ତ ବ୍ୟକ୍ତି ଠାରୁ ଗୋଟେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ବେଆଇନ ଭାବେ ଗଚ୍ଛିତ ରଖିଥିବା ଅନେକ ବନ୍ୟସାମଗ୍ରୀକୁ କରାଯାଇଛି ଜବତ ।
ସୂଚନା ମୁତାବକ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଜଙ୍ଗଲି ଜନ୍ତୁଙ୍କ ଶିକାର କରାଯିବା ସହିତ ବ୍ୟାପକ ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଖବର STF ଟିମକୁ ମିଳିଥିଲା । ତେବେ STF ଟିମ ପକ୍ଷରୁ ଯୋଜନା ମୁତାବକ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା । ଏଥିସହ ସେହି ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଓ ବଜ୍ରକାପ୍ତା ବ୍ୟାପାର କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିଲା । ଅନ୍ୟପଟେ ଜଣେ ବ୍ୟକ୍ତି ଜୀବନ୍ତ ବଜ୍ରକାପ୍ତା ରଖିଥିବା ଖବର ପାଇବା ପରେ ଗ୍ରାହକ ହୋଇ ଉକ୍ତ ବ୍ୟକ୍ତିଙ୍କ ସଙ୍ଗେ ବଜ୍ରକାପ୍ତା କ୍ରୟ କରିବାକୁ ମୂଲଚାଲ କରାଯାଇଥିଲା । ବଜ୍ରକାପ୍ତା ବ୍ୟାପାରୀ ଜଣକ ପାଇକମାଳ ଥାନା ଅନ୍ତର୍ଗତ ଗଣ୍ଡପାଳି ଗ୍ରାମର ହୋଇଥିବା ବେଳେ ସେ ବିଜାଡ଼ିହି ଠାରେ ଡିଲ କରିବାକୁ କହିଥିଲା ।