ବରଗଡ଼: ଚିନିକଳ ବିକ୍ରି ପ୍ରସଙ୍ଗକୁ ନେଇ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ କଡା ସମାଲୋଚନା କଲା ଆମ ଆଦମୀ ପାର୍ଟି । ବରଗଡ଼ବାସୀଙ୍କ ହିତ ରକ୍ଷା ପାଇଁ ଆମ ଆଦମୀ ପାର୍ଟି ଦାବି କରିବା ସହିତ ଜିଲ୍ଲାକୁ ଶିଳ୍ପ ବିହିନ କରାନଯାଉ ଏବଂ ଚିନି କାରଖାନାକୁ ବିକ୍ରି କରାନଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଦଳ । ଶିଳ୍ପାୟନରେ ବରଗଡର ପରିଚୟ ସୃଷ୍ଟି କରିଥିବା ସମବାୟ ଚିନିକଳକୁ ବନ୍ଦ କରିବା ପାଇଁ ସରକାରଙ୍କ ବିଜ୍ଞପ୍ତି ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ପରେ ସ୍ଥାନୀୟ ବିଧାୟକ ଏନେଇ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ବରଗଡ଼ ବିରୋଧୀ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ।
ଆପ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି, ଚିନିକଳ ବରଗଡର ମାନ, ସ୍ୱାଭିମାନ ହୋଇଥିବା ବେଳେ ରାଜ୍ୟ ମାନଚିତ୍ରରେ ଶିଳ୍ପନଗରୀର ପରିଚୟ ଦେଇ ବରଗଡ଼ବାସୀଙ୍କୁ ଗୌରବାନ୍ବିତ କରିଆସିଛି । ୧୯୬୯ ମସିହାରୁ ଦୀର୍ଘ ୫୪ବର୍ଷ ଧରି ଲୋକଙ୍କ ଜନ ଜୀବନ ସହ ଏହି ଚିନିକଳର ନିବିଡ଼ ସମ୍ପର୍କ ରହିଆସିଛି । କୃଷି ଭିତ୍ତିକ ଏହି ଶିଳ୍ପ ଏକଦା ଲାଭରେ ଚାଲି ଆସୁଥିଲା ୧୯୯୧ ମସିହାରେ ପୋନ୍ନି ସୁଗର ସମୟରେ ଚିନି ଉତ୍ପାଦନ ବଢ଼ି ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଧୀରେ ଧୀରେ ପ୍ରଶାସନିକ ଉଦାସୀନତା , ପୁରୁଣା ଟେକ୍ନୋଲୋଜିର ବ୍ୟବହାର, ନୂଆ ଏନ୍ସିଲିଆରୀ ପ୍ଲାଣ୍ଟ ନଯୋଡିବା ଓ ଭ୍ରଷ୍ଟାଚାର ଯୋଗୁଁ ଏହି ସଂସ୍ଥା ଆଜି ବିକ୍ରି ହେବାକୁ ବସିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋହେଲା ଇଛାପାଲିରେ ଚିନିକଳ ପାଇଁ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । କିନ୍ତୁ ଟଙ୍କା ଟିଏବି ସହାୟତା ନଦେଇ ବରଗଡ ବାସୀଙ୍କୁ ଠକି ଦେଇଥିଲେ । ୨୩ ବର୍ଷର ବିଜେଡି ସରକାର ସମୟରେ ଯଦି ଏକ ଲାଭକାରୀ ସଂସ୍ଥାକୁ ବନ୍ଦ କରି ବିକ୍ରି କରିବାକୁ ପଡୁଛି ତାହେଲେ ରାଜ୍ୟରେ ଶିଳ୍ପାୟନ ଓ ବିକାଶ କିପରି ଚାଲୁଛି ତାହା ଜଣାପଡୁଛି ବୋଲି ଆପ ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ''