ବରଗଡ଼: କାର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ ବସିଲାଣି ହେଲେ ଚଳିତ ବର୍ଷ ଏଯାଏଁ ଶୀତର ପ୍ରଭାବ ଅନୁଭୁତ ହେଉ ନାହିଁ । ଫଳରେ ମାନ୍ଦା ପଡ଼ିଛି ଶୀତବସ୍ତ୍ର ବ୍ୟବସାୟ । ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଚାରିଆଡ଼େ ଦେଖିବାକୁ ମିଳୁଛି ଶୀତବସ୍ତ୍ରର ପସରା । ରାସ୍ତା କଡ଼ରେ ସାଲ, ସ୍ବେଟର, ଜ୍ୟାକେଟ, କମ୍ବଳ, ମଫଲର, ଗ୍ଲୋବସ ଇତ୍ୟାଦି ଶୀତବସ୍ତ୍ରର ସମ୍ଭାର ଦେଖିବାକୁ ମିଳୁଛି କିନ୍ତୁ ଖାଲିପଡ଼ିଛି ଦୋକାନ । ନାଁ ଶୀତ ବଢୁଛି ନାଁ ଚାଲୁଛି ବ୍ୟବସାୟ । ଏପରି ସ୍ଥିତିରେ ଆଶା ଓ ଆଶଙ୍କାରେ ରହିଛନ୍ତି ବରଗଡ଼ର ଶୀତବସ୍ତ୍ର ବେପାରୀ ।
ସମୟ ଥିଲା କାର୍ତ୍ତିକ ମାସରୁ ଶୀତରେ ଥରହର ହୋଇ ଉଠୁଥିଲା ବରଗଡ଼ ସହର ଏବଂ ଶୀତର ଆଗମନ ପୂର୍ବରୁ ସହରର ରାସ୍ତାକଡ଼ ସବୁ ରଙ୍ଗବେରଙ୍ଗ ଶୀତବସ୍ତ୍ରରେ ସୁନ୍ଦର ଦେଖାଯାଉଥିଲା । ବେପାରୀ ମାନେ ରାଜ୍ୟବାହରୁ ଶୀତବସ୍ତ୍ର ଆଣି ଏଠାରେ ବିକ୍ରିକରି ବେଶ ଦୁଇ ପଇସା ରୋଜଗାର କରନ୍ତି । ହେଲେ ସମୟ ବଦଳିବା ସହିତ ବଦଳିଯାଇଛି ପରିବେଶ । କାର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବା ଉପରେ ହେଲେ ବରଗଡ଼ରେ ଶୀତର ଦେଖା ନାହିଁ ।