ବରଗଡ:କାନ୍ଧରେ ମୃଦଙ୍ଗ, ପାଦରେ ଘୁଙ୍ଗୁର । ଆଉ ମୁହଁରୁ ବାହାରୁଛି ଅନର୍ଗଳ ଶ୍ଲୋକ । ଗୀତରେ ତାଳେ ତାଳେ କୁନି ହାତରୁ ସୃଷ୍ଟି ହେଉଛି ତାକ୍ ଧିନା ଧିନ୍ ଧା..ର ସୁମଧୁର ଧ୍ବନି । ଯାହାକୁ ଶୁଣି ଅଟକି ଯାଉଛି ବାଟଚଲା ପାଦ । ଆମେ କହୁଛୁ ବରଗଡ ଜିଲ୍ଲା ଅଇଁଠାପାଲି ଗାଁର 4 ବର୍ଷର ଶିଶୁ ଲକ୍ଷ୍ମୀକାନ୍ତ ବାରିକ କଥା । ଯେଉଁ ବୟସରେ ପିଲା ଠିକ୍ ଭାବେ କଥା କହି ପାରେନି, ସେହି ବୟସରେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହୋଇଛି ଏହି ଶିଶୁ ଜଣକ । ଲକଡାଉନ କାଳରେ ଅନେକ ପ୍ରତିଭା ନିଜ ନିଜ ଅନ୍ଦାଜରେ ସାମ୍ନାକୁ ଆସୁଥିବାବେଳେ ଲକ୍ଷ୍ମୀକାନ୍ତ ମୃଦଙ୍ଗ ବଜାଇ ଲୋକଙ୍କୁ ବିମୋହିତ କରୁଛନ୍ତି ।
ଭେଡ଼େନ ବ୍ଲକ ଅଇଁଠାପାଲି ଗ୍ରାମର ସୁକଦେବ ବାରିକ ଏବଂ ସୁଚିତ୍ରା ବାରିକଙ୍କ ପୁଅ ହେଉଛି ଲକ୍ଷ୍ମୀକାନ୍ତ । ଯିଏ କି ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢେ । ମହାମାରୀ ଯୋଗୁଁ ସରକାର ଲକଡାଉନ ସଟଡାଉନ କରି ସମସ୍ତ ସ୍କୁଲ କଲେଜ ବନ୍ଦ କରିଦେଇଛନ୍ତି । ଆଉ ଏହି ସଙ୍କଟ ସମୟର ସୁଦୁପଯୋଗ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଲକ୍ଷ୍ମୀକାନ୍ତ । ଘରେ ବାପା, ବଡବାପା ଓ କାକା ମୃଦଙ୍ଗ ବାଦକ ହୋଇଥିବାବେଳେ ସେମାନଙ୍କ ଠାରୁ ଅଭିପ୍ରେରିତ ହୋଇଥିଲା ଶିଶୁଟି । ଫଳରେ ମନୋବଳ ଆଉ ନିଷ୍ଠା ଆଗରେ ହାର ମାନିଯାଇଛି କୋମଳ ବୟସ । ସ୍କୁଲ ବନ୍ଦ ହେବା ଦିନରୁ ଲକ୍ଷ୍ମୀକାନ୍ତ ମୃଦଙ୍ଗ ବାଦନ ଅଭ୍ୟାସ ଜାରି ରଖି ବର୍ତ୍ତମାନ ପାରଙ୍ଗମ ମୃଦଙ୍ଗ ବାଦକରେ ପରିଣତ ହୋଇଛନ୍ତି । ମୃଦୁଙ୍ଗର ତାଳେ ତାଳେ 'କୃଷ୍ଣ ଗୋବିନ୍ଦ ହରେ ମୁରାରୀ' ତ କେତେବେଳେ 'ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଯାଉଛନ୍ତି ମାତା' ଭଳି ଅନେକ ଜଟିଳ ଛନ୍ଦ, ଶ୍ଳୋକ ବୋଲୁଛି ପିଲାଟି । ପୁଅର ଏଭଳି ପ୍ରତିଭା ଦେଖି ବାପାମାଆ ଖୁବ୍ ଖୁସି ଅନୁଭବ କରୁଛନ୍ତି । ସେପଟେ ଶିଶୁଟିକୁ ଗାଁର ଗର୍ବ ଓ ଗୌରବ ବୋଲି କହୁଛନ୍ତି ଗ୍ରାମବାସୀ ।