ଓଡିଶା

odisha

ETV Bharat / state

ଜୀବନ ଯୁଦ୍ଧର ବୀର ଯୋଦ୍ଧା ସଂଯୁକ୍ତା, ଲୋଡା ଆପଣଙ୍କ ସହାୟତା

ସାତ ବର୍ଷର କୁନି ଝିଅ ସଂଯୁକ୍ତା । ଛାତି ଭିତରେ ଛିଦ୍ର । ଯେଉଁ ବୟସରେ ସାଙ୍ଗମାନଙ୍କ ସହ ହସଖୁସି, ଖେଳକୁଦରେ ସମୟ କାଟିବା କଥା ସେ ସମୟରେ ରୋଗ ସାଜିଛି ବଇରୀ । ବିଛଣାରେ କଟୁଛି ସକାଳ ସଞ୍ଜ । ଚିନ୍ତା, ଅନୁଶୋଚନାରେ ମା' ବାପା ।

By

Published : Apr 12, 2019, 11:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ସାତ ବର୍ଷର କୁନି ଝିଅ ସଂଯୁକ୍ତା । ଛାତି ଭିତରେ ଛିଦ୍ର । ଯେଉଁ ବୟସରେ ସାଙ୍ଗମାନଙ୍କ ସହ ହସଖୁସି, ଖେଳକୁଦରେ ସମୟ କାଟିବା କଥା ସେ ସମୟରେ ରୋଗ ସାଜିଛି ବଇରୀ । ବିଛଣାରେ କଟୁଛି ସକାଳ ସଞ୍ଜ । ଚିନ୍ତା, ଅନୁଶୋଚନାରେ ମା' ବାପା । ଏହି ରୋଗର ଚିକିତ୍ସା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଡାକ୍ତର । ଫଳରେ ଟଙ୍କା ଅଭାବରୁ ଝିଅକୁ ନେଇ ପଳାଇ ଆସିଥିଲେ ସଂଯୁକ୍ତାଙ୍କ ବାପା । ଏବେ କେବଳ ଭାଗ୍ୟ ଓ ଭଗବାନଙ୍କ ଭରସାରେ ମା' ବାପା । ଏ ହେଉଛି ବରଗଡ ସହରର 1ନମ୍ବର ୱାର୍ଡ ନଦିପଡାଠାରେ ଏକ କୁଡିଆ ଘରେ ରହୁଥିବା ଦିନ ମଜୁରିଆ ନଥିଲା ଷଣ୍ଢ ଓ ତାଙ୍କ ସ୍ତ୍ରୀ ବର୍ଷା ଷଣ୍ଢଙ୍କ କୁନି ଝିଅ ସଂଯୁକ୍ତାଙ୍କ କାହାଣୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

5 ଅକ୍ଟୋବର 2011 ମସିହାରେ ସଂଯୁକ୍ତାଙ୍କ ଜନ୍ମ । ଏହାପରଠାରୁ ଆରମ୍ଭ ହୋଇଗଲା ମା' ବାପାଙ୍କ ଦୁଃଖଭରା କାହାଣୀ । ଜନ୍ମର ମାତ୍ର 10 ମାସ ପରେ ହଠାତ ଝିଅ ସଂଯୁକ୍ତାଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଘଟିଥିଲା । ଡାକ୍ତର କହିଲେ ସଂଯୁକ୍ତାଙ୍କ ହୃଦୟରେ ରହିଛି ଛିଦ୍ର । ଯାହା ଫଳରେ ତା’ର ସ୍ଵାସ୍ଥ୍ୟହାନି ଘଟୁଛି | ତୁରନ୍ତ ଆବଶ୍ୟକ ଚିକିତ୍ସା ନକଲେ ବୟସ ବଢିବା ସଙ୍ଗେ ସଙ୍ଗେ ସଂଯୁକ୍ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ବଢିବ ବୋଲି ଚେତାବନୀ ଦେଇଥିଲେ ଡାକ୍ତର । ଏହାସହ ଶୀଘ୍ର ସଂଯୁକ୍ତାଙ୍କ ଅସ୍ତ୍ରୋପଚାର କରାନଗଲେ ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥିବା କଥା କହିଥିଲେ ଡାକ୍ତର ।

ଅର୍ଥାଭାବରୁ ଅସ୍ତ୍ରୋପଚାର କରି ନପାରି ମା' ବାପା ଔଷଧ ସାହାଯ୍ୟରେ 7 ବର୍ଷ ଯାଏଁ ଝିଅର ଜୀବନ ବଞ୍ଚାଇ ରଖିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି । ମାତ୍ର ଏବେ ଅଳ୍ପ କିଛି ମାସ ହେବ ଔଷଧ ଆଉ କାମ ଦେଉ ନଥିବା କହିଛନ୍ତି ସଂଯୁକ୍ତାଙ୍କ ବାପା ମା’ । ଏବେ ଦିନକୁ ଦିନ ସଂଯୁକ୍ତାର ଅବସ୍ଥା ଗୁରୁତର ହେବାରେ ଲାଗିଛି । ହାତ ପାପୁଲି ଓ ପାଦ ତଳ ସହ ଦେହ ଓ ନଖର ରଙ୍ଗ ନୀଳ ହେବାରେ ଲାଗିଛି । ଅଳ୍ପ ଚାଲିଲେ କିମ୍ବା କିଛି ଖାଇଲେ ଥକି ପଡୁଛି ସଂଯୁକ୍ତା । ଗୋଟିଏ ପଟେ ଚିକିତ୍ସା ପାଇଁ ଅର୍ଥ ବାଧକ ଅନ୍ୟପଟେ ରୋଗର କାୟା ବୃଦ୍ଧି । ଏପରି ସ୍ଥିତିରେ ଘରେ ଚିନ୍ତାର ଚୁଲି ଜଳୁ ନାହିଁ । ଯାହା ଥିଲା ସବୁ ଝିଅର ଔଷଧ କିଣାରେ ଗଲାଣି । ଏଣିକି ସବୁ ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି ସଂଯୁକ୍ତାଙ୍କ ମା' ବାପା ।

ଏପରି ପରିସ୍ଥିତିରେ କିଛି ଦରଦୀ ଲୋକ ଏହି ଗରିବ ପରିବାରକୁ ସହାୟତାର ହାତ ବଢାଇଥିଲେ । ପାଖ ପଡୋଶୀଙ୍କ ସହାୟତାରେ ଝିଅକୁ ନେଇ ଛତିଶଗଡ ରାୟପୁରସ୍ଥିତ ସାଇ ହସ୍ପିଟାଲରେ ଚିକିତ୍ସା ପାଇଁ ନେଇଥିଲେ ମାତ୍ର ସେଠାରୁ ଚିକିତ୍ସା କରାଇନପାରି ଫେରାଇ ଆଣିଥିଲେ |


ଖୁବଶୀଘ୍ର ଝିଅର ଚିକିତ୍ସା କରାନଗଲେ ବଞ୍ଚିବାର ଆଶା ବହୁତ କ୍ଷୀଣ ବୋଲି କହିଛନ୍ତି ଡାକ୍ତର । ଏବେ କେବଳ ସାହାଯ୍ୟ ଭିକ୍ଷା ଆଶାରେ ସଂଯୁକ୍ତାଙ୍କ ମା' ବାପା । ନେହୁରା ହୋଇ ସହାୟତାର ହାତ ବଢାଇବାକୁ କହିଛନ୍ତି । ଆପଣଙ୍କ ଛୋଟ ସହାୟତାରେ କୁନି ଝିଅର ଜୀବନ ବଞ୍ଚିବାର ଆଶା ମନରେ ରଖିଛନ୍ତି ସେମାନେ ।

ଏହାସହ ଆର୍ଥିକ ସାହାଯ୍ୟ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ସଂଯୁକ୍ତାଙ୍କ ମା' ବର୍ଷା ଷଣ୍ଢଙ୍କ ଆକାଉଣ୍ଟରେ ସହାୟତା ରାଶି ଜମା କରିବା ପାଇଁ ଅନୁରୋଧ କରିଛନ୍ତି । ଖାତା ନମ୍ବର 3255011117941, IFSC କୋଡ BARB0BARGRH, ବ୍ୟାଙ୍କ ଅଫ ବରୋଦା, ଭଟଲି ଛକ, ବରଗଡ ଶାଖା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details