ବରଗଡ: କିଡନୀ ରୋଗରେ ଆକ୍ରାନ୍ତ କୁନିଝିଅ । ବୟସ ମୋଟେ 3 ବର୍ଷ । ଜୀବନ କ'ଣ ବୁଝିବା ଆଗରୁ ଜୀବନ ସାଙ୍ଗରେ କରୁଛି ସଂଘର୍ଷ । ଯେଉଁ ବୟସରେ ହସିଖେଳି ବୁଲିବା କଥା ସେ ବୟସରେ ଯୁଝୁଛି କିଡନୀ ରୋଗ ସହିତ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ବଇଦପାଲି ଗାଁର ଲକ୍ଷ୍ମଣ ସାହୁଙ୍କ ଝିଅ ଦିବ୍ୟାଙ୍କ କ୍ଷେତ୍ରରେ । ଗରିବ ହୋଇଥିବାରୁ ଝିଅର ଚିକିତ୍ସା କରିବାରେ ବିଫଳ ହୋଇଛନ୍ତି ବାପାମାଆ । ତେଣୁ ନିଜର ତିନି ବର୍ଷୀୟ କୁନି ଝିଅର ଚିକିତ୍ସା ପାଇଁ ଲୋକଙ୍କୁ ସହାୟତା ମାଗି ବୁଲୁଛନ୍ତି ।
ବଇଦପାଲି ଗ୍ରାମର ଲକ୍ଷ୍ମଣ ସାହୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଥିବା ଏକ ସୂତାକଳରେ ଶ୍ରମିକ ଭାବରେ କାମ କରନ୍ତି । ସେଠାରେ ତାଙ୍କ ଝିଅ ଦିବ୍ୟାକୁ ୩ ବର୍ଷ ବୟସରେ ଦେଖାଦେଲା କିଡ଼ନୀ ସମସ୍ୟା । ଝିଅର ମୁହଁ ଓ ପେଟ ଅସ୍ବାଭାବିକ ଭାବେ ଫୁଲିବାକୁ ଲାଗିଥିଲା । ଏହାପରେ ଲକ୍ଷ୍ମଣ ଗୁଣ୍ଟୁରର ଏକ ଡାକ୍ତରଖାନାରେ ଝିଅର ଚିକିତ୍ସା କରାଇଥିଲେ । ନିଜ ଝିଅର ଚିକିତ୍ସାରେ ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଦେଇଥିଲେ । ଏହାପରେ ଅଧିକ ଟଙ୍କା ଆବଶ୍ୟକ ହେବାରୁ ତଥା ରହୁଥିବା ଅଞ୍ଚଳରେ ପାଣିର ସମସ୍ୟା ଥିବା କାରଣରୁ ସେ ଗାଁକୁ ଚାଲି ଆସିଥିଲେ ।