ଓଡିଶା

odisha

ETV Bharat / state

ବରଗଡରେ ନକଲି ମାଓବାଦୀଙ୍କ ପର୍ଦ୍ଦାଫାଶ, 3 ଗିରଫ - forgery maoist

ବରଗଡରେ ନକଲି ମାଓବାଦୀର ଖୁଲାସା କରିଛି ପୋଲିସ । ନିଜକୁ ମାଓବାଦୀ କହି ଲୋକଙ୍କଠୁ ପଇସା ଆଦାୟ କରୁଥିବା 3 ଜଣଙ୍କୁ ପୋଲିସ ଗିରଫ କରିଛି ।

ଡିଜାଇନ ଫଟୋ

By

Published : Jul 14, 2019, 5:27 PM IST

ବରଗଡ: ଜିଲ୍ଲାରେ ନକଲି ମାଓବାଦୀଙ୍କ ପର୍ଦ୍ଦାଫାଶ । ଗୋପନରେ ତଦନ୍ତ ଚଳାଇ ନକଲି ମାଓ ସଙ୍ଗଠନର ମୁଖା ଖୋଲିଛି ପୋଲିସ । ମାଓ ସଙ୍ଗଠନ ନାଁରେ ଟଙ୍କା ଆଦାୟ କରୁଥିବା 3 ଜଣଙ୍କୁ କରିଛି ଗିରଫ । ସେଥିମଧ୍ୟରୁ ଜଣେ ବନ କର୍ମଚାରୀ । ଅନ୍ୟ ଦୁଇ ଜଣ ଦୁଇ ଭାଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ପୋଲିସର ବଡ ସଫଳତା । ଜିଲ୍ଲାର ପଦ୍ମପୁର, ପାଇକମାଳ ଓ ଭଟଲି ଅଞ୍ଚଳରେ ମାଓ ଭୟ ଥିବାରୁ ଏହାର ଫାଇଦା ଉଠାଇ ମାଓ ସଙ୍ଗଠନ ନାଁରେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ତିନିଜଣଙ୍କୁ ପୋଲିସ ଗିରଫ କରିଛି । ତିନିଜଣ ନକଲି ମାଓବାଦୀଙ୍କ ମଧ୍ୟରୁ ଦୁଇଜଣ ଭଟଲି ଗଧାପଡାର ଦୋଳଗୋବିନ୍ଦ ସାହୁ ଓ ସାନଭାଇ ବଳରାମ ସାହୁ । ଅନ୍ୟଜଣେ ସମ୍ବଲପୁର ବନବିଭାଗର ଡେପୁଟି ରେଞ୍ଜର ବଟକୃଷ୍ଣ ବୋଲି ଜଣାପଡିଛି ।

ତିନି ଜଣ ମିଶି 2014 ମସିହାରୁ ନିଜକୁ ମାଓବାଦୀର ପରିଚୟ ଦେଇ ବହୁ ଠିକାଦାର ଓ ସରକାରୀ ଅଫିସରଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । 30 ହଜାରରୁ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସେମାନେ ଦାବି କରୁଥିଲେ ମଧ୍ୟ ଭୟରେ କେହି ପୋଲିସ ପାଖରେ ଅଭିଯୋଗ କରିନଥିଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗୋପନରେ ତଦନ୍ତ କରିଥିଲା । ଶେଷରେ ସଫଳ ମଧ୍ୟ ହୋଇଛି ।

ଗିରଫ ପରେ ନକଲି ମାଓ ସଙ୍ଗଠନ ନାଁରେ ବରଗଡ ଡିଏଫଓଙ୍କ ଠାରୁ 50 ହଜାର , ଲଖନପୁର ରେଞ୍ଜରଙ୍କ ଠାରୁ 90 ହଜାର , ପଦ୍ମପୁର ଫରେଷ୍ଟରଙ୍କଠାରୁ 10 ହଜାର, ଶୁଭମ ସିଂହଙ୍କ ଠାରୁ 2 ଲକ୍ଷ 50 ହଜାର , ମୁନ୍ନା ମହାପାତ୍ର ନାମକ ଠିକାଦାରଙ୍କ ଠାରୁ 2 ଲକ୍ଷ, ଠିକାଦାର ପ୍ରଦୀପ ବିଶ୍ଵାଳଙ୍କ ଠାରୁ 1 ଲକ୍ଷ 50 ହଜାର, ଠିକାଦାର ଅଶୋକ ଦାସଙ୍କ ଠାରୁ 1 ଲକ୍ଷ, ବଉଳଶିଙ୍ଘା ଠାରେ ଚାଲିଥିବା ଇଥାନଳ ପ୍ରକଳ୍ପର ଏକ ଠିକାଦାରଙ୍କ ଠାରୁ ମଧ୍ୟ 90 ହଜାର ଏପରି ସମୁଦାୟ 11 ଜଣଙ୍କ ଠାରୁ 10 ଲକ୍ଷ 55 ହଜାର ଟଙ୍କା ଆଦାୟ କରିଥିବା ପୋଲିସ ଆଗରେ ସେମାନେ ସ୍ଵୀକାର କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କ ଠାରୁ ନଗଦ 1 ଲକ୍ଷ 65 ହଜାର ଟଙ୍କା, ଚାରୋଟି ମୋବାଇଲ ଓ ଦୁଇଟି ମୋଟରସାଇକେଲ ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details