ଓଡିଶା

odisha

ETV Bharat / state

ପଲିଥିନ ତଳେ ବିତୁଛି ଜୀବନ, ଅପହଞ୍ଚ ସରକାରୀ ଯୋଜନା - ପଲିଥିନ ତଳେ କଟୁଛି ଦିନ

ଫଟା ଦଦରା ପଲିଥିନ ତଳେ ବିତୁଛି 3 ପରିବାରର ଦିନ । ବର୍ଷା ହେଲେ ଘର ଭିତର ପାଣିରେ ଭର୍ତ୍ତି ହୋଇଯାଉଥିବା ବେଳେ ଏମାନେ ପାଖ ଘରକୁ କିମ୍ବା କ୍ଲବ ଘରକୁ ଯାଇ ଆଶ୍ରୟ ନେଉଛନ୍ତି । ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ବରଗଡ ଜିଲ୍ଲାପାଳଙ୍କ ନିକଟରେ ନେହୁରା ହେଲେ ବି ଏପର୍ଯ୍ୟନ୍ତ କିଛି ସହାୟତା ମିଳିପାରିନାହିଁ । ବରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଳି ପଞ୍ଚାୟତର ବେହେରା ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ପଲିଥିନ ତଳେ ବିତୁଛି ଜୀବନ, ଅପହଞ୍ଚ ସରକାରୀ ଯୋଜନା
ପଲିଥିନ ତଳେ ବିତୁଛି ଜୀବନ, ଅପହଞ୍ଚ ସରକାରୀ ଯୋଜନା

By

Published : Jul 5, 2020, 2:36 PM IST


ବରଗଡ: ନା ଅଛି ଚାରି କାନ୍ଥ, ନା ଅଛି ଛାତ । ଦିନରେ ସୂର୍ଯ୍ୟ ଓ ରାତିରେ ଦେଖା ଦେଉଛି ତାରା । ଫଟା ଦଦରା ପଲିଥିନରେ ଢଙ୍କା ହୋଇଥିବା କୁଡିଆ ପାଲଟିଛି ତିନି ଗରିବ ପରିବାରଙ୍କ ଘର । ବର୍ଷା ହେଲେ ଉପରୁ ଝରୁଛି ପାଣି । ବରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଳି ପଞ୍ଚାୟତର ବେହେରା ଗ୍ରାମରେ ଏପରି ଦୟନୀୟ ଅବସ୍ଥାରେ ରହୁଛନ୍ତି ତିନୋଟି ପରିବାର ।

ପଲିଥିନ ତଳେ ବିତୁଛି ଜୀବନ, ଅପହଞ୍ଚ ସରକାରୀ ଯୋଜନା

ପୁରୁଣା ଶାଢ଼ୀ ଓ ଲୁଗା କୁ ଘେରି ଚାରି କାନ୍ଥ ତିଆରି କରାଯାଇଛି ତା ଉପରେ ପୋଲିଥିନର ଛାତ । ଗୋଟେ ସ୍ଥାନରେ ରାନ୍ଧିବା, ଖାଇବା, କପଡ଼ା ବୁଣିବା ,ଶୋଇବା,ଛୁଆଙ୍କ ପାଠ ପଢ଼ା ସବୁ ଚାଲିଥାଏ । ବର୍ଷା ହେଲେ ଘର ଭିତର ପାଣିରେ ଭର୍ତି ହୋଇଯାଉଥିବା ବେଳେ ଏମାନେ ପାଖ ଘରକୁ କିମ୍ବା କ୍ଲବ ଘରକୁ ଯାଇ ଆଶ୍ରୟ ନେଇଥାନ୍ତି । ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ବରଗଡ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରି କରି ଥକିଗଲେ, ହେଲେ କୌଣସି ସୁଫଳ ପାଇ ନପାରି ଭଗବାନ ଭରସାରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଏହି ଅସହାୟ ପରିବାର ।

ଦୁଇ ଭାଇ ଚିନ୍ତାମଣି ମଣ୍ଡି ଓ ରଘୁମଣି ତାଣ୍ଡି ଏବଂ ତାଙ୍କ କକା ଗୋଭର୍ଦ୍ଧନ ତାଣ୍ଡି ନିଜ ନିଜ ପରିବାର ସହ ଏହି ଭଙ୍ଗା ଦଦରା କୁଡିଆରେ ରହୁଛନ୍ତି । ଆଉ ପେଟ ପୋଷିବା ପାଇଁ ଏହି ପଲିଥିନ ଘରେ କରନ୍ତି ଲୁଗାବୁଣିବା କାମ । ହେଲେ ବର୍ଷା ଦିନେ ଘରେ ପାଣି ଗଳୁଥିବାରୁ ଲୁଗା ବୁଣା କାମ ବନ୍ଦ ହୋଇଯାଏ । ଗୋଟେ ପଟେ ରହିବା ମୁସ୍କିଲ ହୋଇପଡୁଥିବା ବେଳେ ଅନ୍ୟପଟେ ରୋଜଗାର ବନ୍ଦ ହେବାରୁ ପରିବାର ପ୍ରତିପୋଷଣ କରିବା ଏମାନଙ୍କ ପାଇଁ ଅତି କଷ୍ଟକର ହୋଇ ପଡିଛି । ସେପଟେ ଏ ବାବଦରେ ଜିଲ୍ଲାପାଳଙ୍କୁ ପଚରା ଯିବାରୁ ଗ୍ରାମ୍ୟ ଆବାସ ଯୋଜନାରେ ଲୋକଙ୍କୁ ସୁବିଧା ଯୋଗାଇଦିଆଯାଉଛି । ପ୍ରାଥମିକତାକୁ ଦେଖି 3 ପରିବାରକୁ ଗୃହ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସରକାରଙ୍କ ଶହ ଶହ ଯୋଜନା ଲୋକଙ୍କ ହିତ ପାଇଁ ଥିଲେ ମଧ୍ୟ ଆଜି ପ୍ରଶାସନ ର ଉଦାସୀନତା କାରଣରୁ ସରକାରୀ ସାହାଯ୍ୟ ଏମାନଙ୍କ ଘର ବାଟ ଭୁଲିଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details