ବରଗଡ଼: ହସ୍ତତନ୍ତର କେନ୍ଦ୍ରସ୍ଥଳୀ ବରଗଡ଼ରେ ଅନୁଷ୍ଠିତ ହେବା ଜାତୀୟ ହସ୍ତତନ୍ତ ସମ୍ମିଳନୀ । ଆସନ୍ତା ଜାନୁଆରୀ ୪ ଓ ୫ ତାରିଖରେ ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସଂସ୍କୃତି ଏବଂ ମହାନ ପରମ୍ପରାର ଏକ ମିଳନ କୁହାଯାଉଥିବା ବରଗଡ଼ର ଏହି ହସ୍ତତନ୍ତ ସମ୍ମିଳନୀରେ ସାରା ଭାରତରୁ ହସ୍ତତନ୍ତ କ୍ଷେତ୍ରର ପ୍ରାୟ ୧୦୦୦ ରୁ ଅଧିକ ଅଂଶୀଦାର ଯୋଗଦେବେ । ଏହା ସହିତ ଦୈନିକ 10 ହଜାରରୁ ଅଧିକ ଦର୍ଶକ ଆସିବାର ଅନୁମାନ କରାଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ଜାରିରହିଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏକ ସାମ୍ବାଦିକ ସମ୍ବିଳନୀରେ ଏନେଇ ସୂଚନା ଦେଇଛନ୍ତି ।
ଓଡିଶା ସରକାରଙ୍କ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ବରଗଡ ଜିଲ୍ଲା ପ୍ରଶାସନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜାତୀୟ ଶିଖର ସମ୍ମିଳନୀ ବୋଲି ଅଭିହିତ କରି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଓଡିଶାର ହସ୍ତତନ୍ତ ପୁରସ୍କାର ବିଜେତାଙ୍କୁ ସମ୍ବଦ୍ଧିତ କରାଯିବା ସହ ଏଥିରେ ପୂର୍ବ, ଉତ୍ତର-ପୂର୍ବ, ପଶ୍ଚିମ, କେନ୍ଦ୍ରୀୟ, ଦକ୍ଷିଣ ଏବଂ ଉତ୍ତର ଭାରତର ୨୦ଟି ରାଜ୍ୟରୁ ୫୦ ରୁ ଅଧିକ ପ୍ରଦର୍ଶକଙ୍କୁ ସାମିଲ କରାଯିବ । ଏହି ନିଜର ଚମତ୍କାର ବୁଣା ଓ ଜୀବନ୍ତ ରଙ୍ଗ ପାଇ ପ୍ରସିଦ୍ଧ ବରଗଡର ବିଶ୍ୱସ୍ତରୀୟ ପ୍ରସିଦ୍ଧ 'ବାନ୍ଧକଳା' (ଟାଇ ଆଣ୍ଡ ଡାଇ) କୃତି ସବୁଠାରୁ ଆକଷକଣୀୟ ରହିବ । ବରଗଡର ଐତିହାସିକ 'ବାନ୍ଧକଳା' କୃତି ଉପରେ ବିଶେଷ ଆଲୋକପାତ କରାଯିବ ଓ ଆନ୍ତର୍ଜାତୀୟ ପ୍ରସିଦ୍ଧିକୁ ପ୍ରଦର୍ଶନ କରାଯିବ । ପିଢୀ ପିଢୀ ଧରି ଚାଲିଆସୁଥିବା ଏହି ନିଆରା ଟାଇ ଆଣ୍ଡ ଡାଇ କୌଶଳ ବରଗଡକୁ ବିଶ୍ଵ ହସ୍ତତନ୍ତ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦେଇଛି ।