ବରଗଡ: କଂସ ବଦ୍ଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ଓ ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା 11 ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମ ଉପରେ ପରିଶେଷରେ ସତ୍ୟ ଓ ଧର୍ମର ଜୟ ହୋଇଛି । ଏହା ହେଉଛି ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।
ଗତ ଡିସେମ୍ବର 31 ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂର୍ଣ୍ଣମୀ ଦିନ ସମାପ୍ତ ହୋଇଛି। ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ, ବଳରାମ ମଥୁରା ଭ୍ରମଣ କରି ଧନୁଯାତ୍ରାକୁ ପହଞ୍ଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ବାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା ।
ପ୍ରଥମ ଦ୍ବାରରେ ଥିଲା କୁବଳୟା ହସ୍ତୀ । କୁବଳୟା ହସ୍ତୀ ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧାଙ୍କୁ ବଦ୍ଧ କରିଥିଲେ କୃଷ୍ଣ ବଳରାମ ଦୁଇଭାଇ । ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ । ଯାହା ଦର୍ଶକଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ କଂସ ବି କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା ଏବଂ ସବୁବେଳେ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ତାହା ପ୍ରମାଣିତ କରିଥିଲା ।