ବାଲେଶ୍ବର: ରାଜ୍ୟରେ ଥମୁନି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା । ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ତେବେ ଏଥର ଖୋଦ ପୋଲିସ ବାବୁଙ୍କ ନାମରେ ଆସିଛି ଅଭିଯୋଗ । ସୋର ଥାନା ଆଇଆଇସି ଓ ସ୍ଥାନୀୟ ସେରଗଡ ଫାଣ୍ଡି ଏସଆଇଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । ଆଇଆଇସି ଶ୍ରୀବଲ୍ଲଭ ସାହୁ, ରୁଚିକ ରଞ୍ଜନ ମହାପାତ୍ର ନାମକ ଯୁବ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଭାଷାର ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ସୋର ଥାନାରେ ଥିବା ପେଟ୍ରୋଲିଂ ଗାଡିକୁ ଠେଲି ଠେଲି ଷ୍ଟାର୍ଟ କରିବା ଓ ବିଫଳ ହେବା ଘଟଣାର ଏକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସମ୍ପୃକ୍ତ ସାମ୍ବାଦିକ ପ୍ରକାଶିତ ଖବରଟି ଏକ ହ୍ଵାଟ୍ସଆପ ଗ୍ରୁପରେ ସେୟାର କରିଥିଲେ। ଯେଉଁଥିରେ ସୋର ଥାନା ଆଇଆଇସି ମଧ୍ୟ ରହିଛନ୍ତି । ଏହାପରେ ଆଇଆଇସି ଶ୍ରୀ ସାହୁ ସାମ୍ବାଦିକଙ୍କୁ ନେଇ ବିଭିନ୍ନ କଟୁ କଥା ଲେଖିବା ସହ ବିସ୍କୁଟ ଦେଲେ କୁକୁର ଭଳି ସାମ୍ବାଦିକ ଚୁପ ହୋଇଯିବେ ବୋଲି କହିଥିବା ସାମ୍ବାଦିକ ଅଭିଯୋଗ କରିଛନ୍ତି।