ବାଲେଶ୍ବର: ଶିଳ୍ପାଞ୍ଚଳ ଥାନା ଅଧୀନ ଅଚ୍ୟୁତପୁର ଯୁବ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦାଫାସ । ଗତ 28 ତାରିଖରେ ବ୍ୟବସାୟୀ ରମେଶ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜମିଜମା ବିବାଦକୁ କେନ୍ଦ୍ରକରି ସୁପାରିକିଲର ମାଧ୍ୟମରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣାରେ ମୋଟ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଶିଳ୍ପାଞ୍ଚଳ ଥାନା ପରିସରରେ ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ଅନୁଯାୟୀ, ଗଣେଶପୁର ଅଞ୍ଚଳର ଟୁନା ଓରଫ ଚିତ୍ତରଞ୍ଜନ ପାଣିଗ୍ରାହୀ ଜମି ପ୍ଲଟିଂ କରି ବିକ୍ରି କରୁଥିଲେ । ଟୁନା ଓ ମୃତ ରମେଶ ବେହେରାଙ୍କ ମଧ୍ୟରେ ଏହି ଜମିକୁ ନେଇ ବିବାଦ ଲାଗି ରହୁଥିଲା । ଟୁନାଙ୍କ ଜମି ଆଗରେ ରମେଶଙ୍କ ଜମି ରହିଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲଗାଥିଲା । ଏଣୁ ଟୁନା ରମେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁପାରିକିଲରମାନଙ୍କ ସହ ଯୋଗାଯୋଗ କରିଥିଲେ । ହତ୍ୟା ପାଇଁ 50 ଲକ୍ଷ ଟଙ୍କାର ଡିଲ୍ ହୋଇଥିବାବେଳେ ଆଡଭାନ୍ସ ବାବଦକୁ 1 ଲକ୍ଷ ଟଙ୍କା ଦେଇଥିଲେ ଟୁନା ।