ଓଡିଶା

odisha

ETV Bharat / state

ପ୍ରସାଦ ବଣ୍ଟନ ବେଳେ ଅଘଟଣ, ଜଣେ ମୃତ, 5 ଆହତ - ବାଲେଶ୍ବରରେ ମହିଳା ମୃତ

ବାବା ବକ୍ରେଶ୍ଵରଙ୍କ ପୀଠରେ ଘଟିଛି ଅଘଟଣ । ପ୍ରସାଦ ବଣ୍ଟନ ବେଳେ ଠେଲାପେଲା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ । ଅଧିକ ପଢନ୍ତୁ

bakreswar temple in balasore
bakreswar temple in balasore

By

Published : Feb 26, 2023, 6:31 PM IST

ବାଲେଶ୍ବର: ପ୍ରସିଦ୍ଧ ବାବା ବକ୍ରେଶ୍ଵରଙ୍କ ପୀଠରେ ଯଜ୍ଞ ଆୟୋଜନ ବେଳେ ଘଟିଛି ଅଘଟଣ । ପ୍ରସାଦ ବଣ୍ଟନ ବେଳେ ଠେଲାପେଲା ସାଙ୍ଗକୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଫଳରେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବକ୍ରେଶ୍ୱରଙ୍କ ପୀଠରେ ପ୍ରତି ବର୍ଷ ଜାଗର ସମୟରେ ମେଳାର ଆୟୋଜନ ହୋଇଥାଏ । ଏହି ମେଳା 11 ଦିନ ଧରି ଚାଲିଥାଏ । ଏହାସହ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞର ଆୟୋଜନ କରାଯାଇଥାଏ ।

ଏହି ଯଜ୍ଞ ଚାଲିଥିବା ବେଳେ ଏମିତି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଯଜ୍ଞ ସମୟରେ ପ୍ରସାଦ ବଣ୍ଟନ ରେ ଥିବା ବ୍ୟକ୍ତି ଓ ଧାଡିରେ ଥିବା କିଛି ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଠେଲାପେଲା ହୋଇଥିଲା। ଏଥି ଯୋଗୁଁ ଖାଦ୍ୟ ସ୍ଥଳରେ ନିକଟରେ ପ୍ରସାଦ ସେବନ କରୁଥିବା ସିମୁଳିଆ ଥାନା ବାଉରିପଦା ଗ୍ରାମର ସାବିତ୍ରୀ ଜେନା (୬୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେହିପରି ଏଥିସହ ୫ ଜଣ ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କ ମଧ୍ୟରୁ ବିରିହା ଗ୍ରାମର ଗୌତମ ମହାପାତ୍ର, ଟିପିସଗଡିଆ ଗ୍ରାମର ମୁକ୍ତିକାନ୍ତ ଜେନା, ତରାଙ୍ଗ ଗ୍ରାମର ଦେବାଶିଷ ଜେନାଙ୍କୁ ଚିକିତ୍ସା ପାଇଁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ମୃତ୍ୟୁର ସଠିକ କାରଣ ଜଣାପଡି ନଥିବା ବେଳେ ଗଣ୍ଡଗୋଳରେ ଭୟଭୀତ ହୋଇ ମହିଳା ଜଣଙ୍କ ହୃତଘାତରେ ପ୍ରାଣ ହରାଇଥିବା ନେଇ ମନ୍ଦିର କମିଟି ଓ ଖଇରା ପୋଲିସ କହିଛି । ମନ୍ଦିରରେ ଯଜ୍ଞର ପୂର୍ଣ୍ଣାହୁତି ଚାଲିଥିବା ବେଳେ ମନ୍ଦିର ବାହାର ପଡିଆରେ ପ୍ରସାଦ ବଣ୍ଟନ କରାଯାଉଥିଲା । କୌଣସି କାରଣକୁ ନେଇ ପ୍ରସାଦ ବଣ୍ଟନରେ ଥିବା ଟିପସଗଡିଆ ଗ୍ରାମର ଜଣେ ସ୍ଵେଚ୍ଛାସେବୀ ଓ ଧାଡ଼ିରେ ଭୋଜନ ଅପେକ୍ଷାରେ ଥିବା ବାଉରିପଦା ଗ୍ରାମର ଜଣେ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଏହାକୁ ଉଭୟଙ୍କ ସମର୍ଥକ ଠେଲାପେଲାରେ ସାମିଲ ହେବା ପରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିଲା। ଏନେଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣକୁ ଅଟକ ରଖିବା ସହ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଛି ।

ଏହା ମଧ୍ୟ ପଢନ୍ତୁ-ବାଲେଶ୍ବର ଶୈବ ପୀଠରେ ଜମୁଛି ଭିଡ, ବକ୍ରେଶ୍ୱର ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ପ୍ରକାଶ ଥାଉକି, ବକ୍ରେଶ୍ୱରଙ୍କ ପୀଠରେ ମହା ଶିବରାତ୍ରୀ ଉପଲକ୍ଷେ 11ଦିନ ଧରି ଚାଲିଥାଏ ଜାଗର ମେଳା। ବକ୍ରେଶ୍ବରଙ୍କ ମହିମା ନିଆରା । କାଂଶବାଂଶ ନଦୀ ଏହି ମନ୍ଦିର ଦେଇ ପ୍ରବାହିତ ହେଉଥିଲା । ସେହି ସମୟରେ ବନ୍ୟା ଆସିଥିବା ବେଳେ ମନ୍ଦିରରେ ପୂଜା ପାଇଁ ପୂଜକ କିପରି ଆସିବେ ଚିନ୍ତାରେ ଥିଲେ । ହେଲେ ଗତିପଥ ବଦଳି ଯାଇଥିବା କଥା ମହାଦେବଙ୍କ ସ୍ବପ୍ନାଦେଶ ହୋଇଥିଲା । ଏନେଇ ପୂଜକ ପୂଜା କରିବା ପାଇଁ ମନ୍ଦିର ଯିବା ବେଳେ ସତକୁ ସତ ନଦୀର ଗତିପଥ ବଦଳିଯାଇଥିଲା । ଆଉ ସେହି ଦିନ ଠାରୁ ନଦୀ ଅର୍ଦ୍ଧଚନ୍ଦ୍ର ଭାବେ ବକ୍ରେଶ୍ବରଙ୍କ ମନ୍ଦିର ଦେଇ ପ୍ରଭାବିତ ହେଉଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details