ବାଲେଶ୍ବର:ଶୁକ୍ରବାର ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ରାଜ୍ୟ ତଥା ବାହାର ରାଜ୍ୟର ଅନେକ ନେତା,ମନ୍ତ୍ରୀ ବାଲେଶ୍ଵର ଅଭିମୁଖେ ଆସିବାରେ ଲାଗିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମେଡିକାଲରେ ଥିବା ଆହତମାନଙ୍କୁ ଭେଟୁଛନ୍ତି ନେତା ଓ ମନ୍ତ୍ରୀ । ସେମିତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି (ରବିବାର) ବାଲେଶ୍ଵର ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଶୁଭେନ୍ଦୁ, ପ୍ରଥମେ ବାଲେଶ୍ଵରବାସୀ ତଥା ବାହନାଗା ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଯେଉଁ ପ୍ରକାର ସେବା ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ସେଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହାସହ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଅଧିକାରୀ । ଏମିତି ଏକ ବିପଦ ବେଳେ କୌଣସି ଦଳ ରାଜନୀତି ଉଚିତ ନୁହେଁ ବୋଲି କହିଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ପ୍ରକାର କହିଲେ ଯେ ଡିଭାଇସ (କବଚ) ନଥିବା କାରଣରୁ ଦୁର୍ଘଟଣା ହୋଇଛି ଏବଂ ଏହି ଦୁର୍ଘଟଣା ମନୁଷ୍ୟକୃତ, ମାତ୍ର ଏହା ନିଶ୍ଚିତ ଭାବେ ଏକ ପ୍ରକାର ହାସ୍ୟାସ୍ପଦ କଥା ବୋଲି ଶୁଭେନ୍ଦୁ କହିଛନ୍ତି ।
ଏମିତି କି ଦୁର୍ଘଟଣାର ଦୁଇଦିନ ନଯାଉଣୁ ମମତା ଏମିତି ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବା ଏକ ପ୍ରକାର ହୀନ ରାଜନୀତି ବୋଲି କହିଥିଲେ । ଏହି ଦୁର୍ଘଟଣାର ଉପଯୁକ୍ତ ତଦନ୍ତ ହେବା ପୂର୍ବରୁ ଆକ୍ଷେପ କିମ୍ବା ଏଭଳି ଏକ ଦୁଃଖଦ ଘଟଣାକୁ ନେଇ କୌଣସି ରାଜନୈତିକ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ । ଏହାସହ ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଶୋଚନୀୟ ଥିବା ବେଳେ ଏଥିପ୍ରତି ମୁଖ୍ୟମନ୍ତ୍ରୀ ମମତା କୌଣସି ଦୃଷ୍ଟି ଦେଉନଥିବା ବେଳେ ପଶ୍ଚିମବଙ୍ଗରୁ ରୋଗୀମାନେ ଓଡିଶା ଆସି ଚିକିତ୍ସିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆହତମାନଙ୍କୁ ପଶ୍ଚିମବଙ୍ଗ ନେଇ ମମତା କ୍ରେଡିଟ ନେବାକୁ ଚାହୁଁଥିବା କହିଛନ୍ତି ଶୁଭେନ୍ଦୁ ।