ବାଲେଶ୍ବର: ଔପଦା ବ୍ଲକ ଚମ୍ପୁର ଗ୍ରାମରେ ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗ୍ରାମବାସୀ ଓ ବିଦ୍ୟୁତ ବିଭାଗ ମୁହାଁମୁହିଁ। ତେବେ ଗାଁ ରେ ଉତ୍ତେଜନା ଲାଗିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ବିଦ୍ୟୁତ ସଂଯୋଗକୁ ନେଇ ଗ୍ରାମବାସୀ ଓ ବିଦ୍ୟୁତ ବିଭାଗ ମୁହାଁମୁହିଁ ମିଳିଥିବା ସୂଚନା ଅନୁସାରେ, ଗାଁର କିଛି ଘରକୁ ବାତ୍ୟା ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା। ଏହାକୁ ନେଇ ବିଦ୍ୟୁତ ବିଭାଗ ତାର ଟାଣିବା ପାଇଁ ଗାଁକୁ ଯାଇଥିଲା। କିନ୍ତୁ ସେଠାରେ ଗ୍ରାମବାସୀ ବିଭାଗକୁ କାର୍ଯ୍ୟ କରିବାକୁ ଦେଇ ନଥିଲେ। ଗ୍ରାମରେ ବିଦ୍ୟୁତ ସେବା ଵିଛିନ୍ନ ଥିବା 5ଟି ଘରକୁ ତାର ଟାଣିବାକୁ ଗ୍ରାମବାସୀ ବିରୋଧ କରିଥିଲେ।
ଏହାକୁ ନେଇ 5ଟି ପରିବାରର ଲୋକେ ଥାନାରେ ଅଭିଯୋଗ କରିବା ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ବିଦ୍ୟୁତ ବିଭାଗ ଆଜି ପୋଲିସ ସହାୟତାରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଗାଁକୁ ଯାଇଥିଲେ ମଧ୍ୟ ଗାଁ ଲୋକେ ଉକ୍ତ ଘରକୁ ବିଦ୍ୟୁତ ତାର ଟାଣିବାକୁ ବିରୋଧ କରି ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ବିଦ୍ୟୁତ ବିଭାଗ ଓ ଗାଁ ଲୋକ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାକୁ ନେଇ ଏକ ବୈଠକ ମାଧ୍ୟମରେ ସମାଧାନ କରାଯିବାର ପ୍ରୟାସ ଚାଲିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ