ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ 7ଟି ସ୍ଥାନରେ ରେଡ - ବାଲେଶ୍ୱର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢାଉ । ଅଧିକ ପଢନ୍ତୁ

vigilance raid in assistant engineers house
vigilance raid in assistant engineers house

By

Published : Feb 23, 2023, 11:18 AM IST

vigilance raid in assistant engineers house

ବାଲେଶ୍ୱର:ଭିଜିଲାନ୍ସ ଜାଲରେ ବାଲେଶ୍ୱର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ରେଡ କଲା ଭିଜିଲାନ୍ସ ବିଭାଗ । ଭଡାଘର ଓ ପୈତୃକ ଘର ସମେତ ମୋଟ ସାତୋଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଅଜୟ ବାଲେଶ୍ୱର ପୂର୍ତ୍ତ ବିଭାଗ 2ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ପରେ ଆଜି ଯନ୍ତ୍ରୀଙ୍କ ଘରେ ଚଢ଼ାଉ ହୋଇଛି । ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ସମେତ ଜରୁରୀ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ପୁରୀ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର 7ଟି ସ୍ଥାନରେ ଏକକାଳୀନ ରେଡ କରାଯାଇଛି । ଏଥିରେ 4 ଜଣ ଡିଏସପି, 10 ଜଣ ଇନ୍ସପେକ୍ଟର, 2 ଜଣ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ପୁରୀର ହରିଚନ୍ଦୀସାହି, ଦାମୋଦର ରୋଡ, ମଦନମୋହନ ଲେନରେ ଅବସ୍ଥିତ ଅଜୟ କୁମାର ସେନାପତିଙ୍କ ଆବାସିକ ଘର, ଫ୍ଲାଟ ନମ୍ବର 2063, ଅନନ୍ୟା ପାମ ବିଚ ଓ ବାଲେଶ୍ଵରର ଭଡା ଘର ସମେତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ।

ସେହିପରି ଅଜୟ ସେନାପତିଙ୍କ ଗାଁ ଖୋର୍ଦ୍ଧାର ବାଣପୁରରେ ଆବାସିକ ଘର ଓ କୁଳାକାଣ୍ଡେଇ ଠାରେ ଥିବା ଦୁଇ ମହଲା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ଏହାସହ ଟାଙ୍ଗିରେ ଥିବା ଅଜୟଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଛାପା ମାରିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ କରାଯାଇଛି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ଚଢାଉ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ମାସରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦକ୍ଷିଣାଞ୍ଚଳ ବିଦ୍ୟୁତ ବିତରଣ ସଂସ୍ଥା ସାଉଥକୋର ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ପ୍ରମୋଦ ଚୌଧୁରୀଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କାଳୀନ ଚଢାଉ କରାଯାଇଥିଲା । ଟିପିଏସଓଡିଏଲ ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀଙ୍କ କାର୍ଯ୍ୟ କରୁଥିଲେ । ବ୍ରହ୍ମପୁର ସହରର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ସେ ରହୁଥିବା ବେଳେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ତାଙ୍କ ତିନି ମହଲା ଘରେ ଚଢାଉ କରିଥିଲା ।

ଏହାପରେ ସହରର ଆଙ୍କୁଲି ଅଞ୍ଚଳର ଶଶିଭୂଷଣ ନଗର ତୃତୀୟ ଲେନରେ ରହିଥିବା ଦୁଇ ମହଲା କୋଠା, ଗୋପାଳପପୁର ଥାନା ଅନ୍ତର୍ଗତ ହରିପୁରରେ ରହିଥିବା ଦୁଇ ମହଲା କୋଠା, ବ୍ରହ୍ମପୁର ନିକଟବର୍ତ୍ତୀ ଗଞ୍ଜୁ ଶିବ ମନ୍ଦିର ନିକଟରେ ରହିଥିବା ଫାର୍ମହାଉସ୍, ବ୍ରହ୍ମପୁର ସହରର ଲୋଚାପଡା ମୁଖ୍ୟରାସ୍ତାର ଷ୍ଟେଟ୍‌ବ୍ୟାଙ୍କ ନିକଟରେ ରହିଥିବା ଘର, ଆମ୍ୱପୁଆ ନିକଟରେ ଥିବା ଫ୍ଲାଟ୍‌ରେ ଚଢାଉ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details