ଓଡିଶା

odisha

ପ୍ରେମ ସପ୍ତାହରେ ଚାଲିଛି ଦିଆନିଆ ପର୍ବ, ସ୍ବତନ୍ତ୍ର ଉପହାର ପ୍ରସ୍ତୁତ କଲେ ଅନୁପମା

By

Published : Feb 10, 2023, 8:33 PM IST

ଚାଲିଛି ପ୍ରେମ ସପ୍ତାହ। ବାଲେଶ୍ଵରର ହସ୍ତଶିଳ୍ପୀ ଅନୁପମା ଦାସମହାପାତ୍ର ଏବେ ପ୍ରେମ ଦିବସ ପାଇଁ ଏକ ଉପହାର ଭରା ବାକ୍ସ ତିଆରି କରିଛନ୍ତି। ତେବେ କଣ ରହିଛି ସେ ବକ୍ସରେ ଜାଣିବା ପାଇଁ ଅଧିକ ପଢ଼ନ୍ତୁ

ଚାଲିଛି ପ୍ରେମ ସପ୍ତାହ
ଚାଲିଛି ପ୍ରେମ ସପ୍ତାହ

ଚାଲିଛି ପ୍ରେମ ସପ୍ତାହ, ପ୍ରେମୀ ଯୁଗଳଙ୍କ ପାଇଁ ସ୍ବତନ୍ତ୍ର ଉପହାର

ବାଲେଶ୍ବର: ଫେବୃଆରୀ 7 ତାରିଖରୁ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ । ଏହି ସପ୍ତାହ ସାରା ପ୍ରେମୀ ଯୁଗଳ ପ୍ରତିଦିନକୁ ଖାସ କରିବା ପାଇଁ ଅନେକ କିଛି ପ୍ରୟାସ କରିଥାନ୍ତି। ପ୍ରେମୀ ଯୁଗଳ ଉଭୟଙ୍କୁ କେତେବେଳେ ଚକଲେଟ ଦିଅନ୍ତି ତ ପୁଣି କେତେବେଳେ ଟେଡି ଦେଇ ଖୁସି ହୁଅନ୍ତି । ଏହାରି ଭିତରେ ପୁଣି ଭାଲେଣ୍ଟାଇନ ବା ପ୍ରେମ ଦିବସରେ ସ୍ବତନ୍ତ୍ର ଉପହାର ଦିଆଯାଇଥାଏ । ପ୍ରେମ ପାଇଁ ଏହି ସ୍ବତନ୍ତ୍ର ଦିନଗୁଡ଼ିକରେ ନିଜ ମନର ମଣିଷକୁ କଣ ଉପହାର ଦେବେ ସେନେଇ ଚିନ୍ତାରେ ପଡ଼ନ୍ତି ପ୍ରେମିକ ବା ପ୍ରେମିକା । ଏହି ଚିନ୍ତାକୁ ଦୂର କରିଛନ୍ତି ବାଲେଶ୍ବର ସତ୍ୟନଗରର ଅନୁପମା ଦାସ ମହାପାତ୍ର । ସେ ଭାଲେଣ୍ଟାଇନ୍‌ ଡେ' ପାଇଁ ଏକ ସ୍ପେଶାଲ ଗିଫ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଗିଫ୍ଟ ବକ୍ସରେ ଚକୋଲେଟ, ଗୋଲାପଠାରୁ ଆରମ୍ଭ କରି ଟେଡି ପର୍ଯ୍ୟନ୍ତ ସବୁ କଛି ରହିଛି । ଯାହା ପ୍ରେମିକ ପ୍ରବରଙ୍କ ମନକୁ ଖୁବ ପସନ୍ଦ ମଧ୍ୟ ଆସୁଛି ।

ଏମିତି ଏହି ସପ୍ତାହରେ ପ୍ରେମ ଦିବସ ପାଳନ ପାଇଁ ପ୍ରେମୀ ଯୁଗଳ ନିଜର ଏହି ମୁହୂର୍ତ୍ତକୁ ଖାସ କରିବା ପାଇଁ ପରସ୍ପରକୁ ଉପହାର ପ୍ରଦାନ କରନ୍ତି। ଏହାରି ଭିତରେ ବାଲେଶ୍ଵର ସହରର ସତ୍ୟନଗର ଅଞ୍ଚଳର ଅନୁପମା ଦାସମହାପାତ୍ର ଏବେ ପ୍ରେମ ଦିବସ ପାଇଁ ଏକ ଉପହାର ଭରା ବାକ୍ସ ତିଆରି କରିଛନ୍ତି । ଯାହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ ଆଦୃତ ହେଉଛି । ଗୋଟିଏ ଉପହାର ବାକ୍ସ ଭିତରେ ଚକୋଲେଟଠାରୁ ଆରମ୍ଭ କରି ପ୍ରେମପତ୍ର ଯାଏଁ ସବୁକିଛି ଭର୍ତ୍ତି କରି ସେ ଏହାକୁ ପ୍ରେମୀ ଯୁଗଳଙ୍କ ପାଇଁ ତିଆରି କରିଛନ୍ତି ।

ପ୍ରେମ ସପ୍ତାହର ସବୁ ଦିନକୁ ସ୍ବତନ୍ତ୍ର କରିବା ପାଇଁ ଅଲଗାଅଲଗା ଉପହାର ଚକୋଲେଟ୍, ଟେଡି ଓ ଗୋଲାପ ଆଦି ଦେବାକୁ ପଡିବନି । ମନଲାଖି ଉପହାର କିଣିବା ପାଇଁ ଏବେ ସବୁ ଉପହାରକୁ ମିଶାଇ ଗୋଟିଏ ବକ୍ସ୍ ରେ ମିଳିଯାଉଛି ମନ ପସନ୍ଦର ଉପହାର । ଏମିତିକି ଘରେ ବସି ଅର୍ଡର କରୁଛନ୍ତି ମନ ପସନ୍ଦର ଉପହାର । ନିଜର ପ୍ରିୟର ମଣିଷଙ୍କୁ ପ୍ରେମ ସପ୍ତାହରେ ଉପହାର ଦେବା ପାଇଁ ଏବେଠୁ ଦେଉଛନ୍ତି ଅର୍ଡର୍ । କିଏ ବିଭିନ୍ନ ଡିଜାଇନର ଗିଫ୍ଟ୍ ବକ୍ସ୍ ତ କିଏ ବୋଟଲ୍‌ ଆର୍ଟ ଅର୍ଡର୍ କରୁଛନ୍ତି ।

ଅର୍ଡର୍ କରିବା କିଛି ଦିନ ଭିତରେ ପାଇଯାଉଛନ୍ତି ମନ ପସନ୍ଦର ଉପହାର । ଏସବୁ କେଉଁ ମେସିନ କିମ୍ବା କୌଣସି କାରିଗରୀ ନୁହେଁ ବରଂ ସମ୍ପୂର୍ଣ ହାତ ତିଆରି । ଖାଲି ସେତିକି ନୁହେଁ କାନଭାସ୍ ବୋର୍ଡରେ ଫେବ୍ରିକ୍ ରଙ୍ଗ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ଗିଫ୍ଟ୍‌ ବକ୍ସ୍ । ବିଭିନ୍ନ ଭେରାଆଇଟିର ବକ୍ସକୁ ଅନୁପମା ଛୋଟଛୋଟ କାଚ ଓ ଲାଇଟ୍ ଏବଂ ଚିତ୍ର କରି ସଜ୍ଜିତ କରିଛନ୍ତି । ଚାରି କୋଣିଆ ବକ୍ସ ଭିତରେ ଚକୋଲେଟ୍, ସ୍କ୍ରାବ୍ ବୁକ୍, ଟେଡ୍ଡି, ଗୋଲାପ , ସ୍ମାଇଲି ବଲ୍, କାର୍ଡ, ଫଟୋ ଏବଂ କିଛି ରଙ୍ଗୀନ ବଲ୍‌ରେ ବକ୍ସକୁ ପ୍ରସ୍ତୁତ କରୁଛନ୍ତି । ନିଜସ୍ଵ କୌଶଳ ବ୍ୟବହାର କରି କିଛି ସ୍ୱତନ୍ତ୍ର କରିବାର ଲକ୍ଷ୍ୟ ନେଇ ପ୍ରଥମ ଥର ଏପରି ପ୍ରୟାସ କରିଛନ୍ତି ଅନୁପମା‌ । ଗୋଟିଏ ଗୋଟିଏ ଉପହାର ତିଆରି ପାଇଁ ତାଙ୍କୁ ପ୍ରାୟତଃ ଦୁଇ ଦିନ ସମୟ ଲାଗୁଛି । ନିଜର ବୃତ୍ତିଗତ ଜୀବନରୁ ବିରତି ପାଇବା ପରେ ପ୍ରତିଦିନ ଏପରି କିଛି ନୂଆନୂଆ ହସ୍ତଶିଳ୍ପ ତିଆରି କରୁଛନ୍ତି ଅନୁପମା‌ ।

ସମୁଦାୟ 15ଟି ଗିଫ୍ଟ ବକ୍ସ ତିଆରି କରିଥିବା ବେଳେ 12ଟି ବିକ୍ରି ସରିଲାଣି । ସେହିପରି ଫଟୋ ଫ୍ରେମ୍‌ 20ଟି ତିଆରି କରିଥିବା ବେଳେ ସବୁ ବିକ୍ରି ସରିଛି । ବୋଟଲରେ ଗିଫ୍ଟ୍‌ ତିଆରି କରିଥିବା ବେଳେ ସେସବୁ ମଧ୍ୟ ବିକ୍ରି ସରିଲାଣି । ଏହି ସବୁ ଉପହାରର ମୂଲ୍ୟ ୭ ଶହରୁ ଏକ ହଜାର ଟଙ୍କା ମଧ୍ୟରେ ରହିଛି । ବୋତଲ ଓ ଫ୍ରେମ୍‌ ଗିଫ୍ଟ 300 ଟଙ୍କା ଭିତରେ ରହିଛି । ସୋସିଆଲ ମିଡିଆ ସହାୟତାରେ ଅନୁପମା ଏସବୁ ସାମଗ୍ରୀ ବିକ୍ରି କରି ପାରିଛନ୍ତି । ଆଗାମୀ ଦିନରେ ଏମିତି ଆହୁରି କିଛି ନୂଆ ଜିନିଷ ତିଆରି କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details