ବାଲେଶ୍ୱର: ସାରା ରାଜ୍ୟରେ ସାମ୍ବାଦିକଙ୍କ ଧାରଣା । ଏନେଇ ବାଲେଶ୍ବର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା ଦିଆଯାଇଛି । ସାମ୍ବାଦିକମାନଙ୍କ ପ୍ରତି ସରକାରୀ ଉଦାସୀନତା ନେଇ ସଂଘ ପକ୍ଷରୁ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ 5 ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି ।
ତେବେ ସାମ୍ବାଦିକ ସଂଘର ଦାବି ଅନୁସାରେ, ଅନେକ ସମୟରେ ସାମ୍ବାଦିକମାନେ ଖବର ପରିବେଷଣ କରିବା ବେଳେ ସେମାନଙ୍କ ଉପରକୁ ଆକ୍ରମାଣ କରାଯାଉଛି । ନିକଟ ଅତୀତରେ ଭୋଗରାଇ ବ୍ଲକର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା ଦେଖିବାକୁ ମିଳିଥିଲା । ଏଭଳି ଭାବରେ ଅଧିକାଂଶ ସ୍ଥାନରେ ସାମ୍ବାଦିକମାନଙ୍କ ଉପରକୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଛି । ଏଥିପାଇଁ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି ହୋଇଛି । ଏହାସହିତ ସାମ୍ବାଦିକମାନେ ସ୍ୱଳ୍ପ ବେତନ କିମ୍ବା କେଉଁଠି କେଉଁଠି ବିନା ବେତନରେ କାମ କରୁଥିବା ବେଳେ ବୟସ ହୋଇଯିବା ପରେ ରୋଜଗାର ହରାଇ ବସିଥାନ୍ତି । ସେହିପରି ବୟସ୍କ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ଦାବି ହୋଇଛି । ଅଧିସ୍ବୀକୃତି କମିଟି ପୁନଃଗଠନ ଏବଂ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ ଭାବେ ଅଧିସ୍ବୀକୃତି ପ୍ରଦାନ କରାଯାଉ ବୋଲି ଦାବି ଉପସ୍ଥାପନ କରାଯାଇଛି ।