ବାଲେଶ୍ବର: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ପ୍ରତିଦିନ ମା'ଙ୍କ ବେଶ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ସେହିପରି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ଥିବା ମା' ବନଦୁର୍ଗାଙ୍କ ମନ୍ଦିରରେ ଭକ୍ତ ଗହଳି ଦେଖିବାକୁ ମିଳୁଛି । ମା'ଙ୍କ 9ଟି ବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି ପୀଠକୁ । ଏହି ପୀଠର ଅନେକ ମାହାତ୍ମ୍ୟ ଥିବାବେଳେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ବ୍ରତ ଉପବାସ କରି ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି ଭକ୍ତ।
ଲୋକକଥା ଅନୁସାରେ, ମଇତାପୁର ଅଞ୍ଚଳରେ ଥିବା ରମାକାନ୍ତ ଓଝାଙ୍କ ବାଡ଼ିରେ ମା' ବନଦୁର୍ଗା ରହିଥିବା ସ୍ୱପ୍ନାଦେଶ ହୋଇଥିଲା । ଏନେଇ ମନ୍ଦିର ପ୍ରତିଷ୍ଠାତା ରମାକାନ୍ତ ଓଝା କହିଛନ୍ତି, "ସ୍ୱପ୍ନାଦେଶ ଅନୁସାରେ ବାଡ଼ି ପଟେ ଖୋଳାଖୋଳି କରିବା ପରେ ସେଠାରୁ ମା' ବନଦୁର୍ଗାଙ୍କ ଏକ ଛୋଟ ମୂର୍ତ୍ତି ବାହାରିଥିଲା। ସେହିଦିନଠାରୁ ପ୍ରାୟ 45 ବର୍ଷ ଧରି ମା' ବନଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଆସୁଛି । ମା'ଙ୍କ ପୂଜାର୍ଚ୍ଚନା କରିବା ପାଇଁ ଜଣେ ପୂଜକ ନିୟୋଜିତ ହୋଇଥିବାବେଳେ ଖିଚିଂରୁ କାରିଗର ଡକାଇ ମା'ଙ୍କ ଏକ ବଡ଼ ମୂର୍ତ୍ତି ନିର୍ମାଣ କରାଯାଇଛି ।" ଧୀରେଧୀରେ ଲୋକଙ୍କ ସହଯୋଗ ଓ ରମାକାନ୍ତଙ୍କ ଉଦ୍ୟମ ଫଳରେ ମା'ଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ହୋଇପାରିଛି । ମନ୍ଦିରରେ ପୂଜକ ମା'ଙ୍କ ନିକଟରେ ବାଲ୍ୟଭୋଗ ଅର୍ପଣ କରି ପୂଜାର୍ଚ୍ଚନା କରୁଥିବାବେଳେ ବହୁ ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଛି ।
ଏହା ବି ପଢନ୍ତୁ...Durga Puja Special: ଶ୍ରୀକ୍ଷେତ୍ରରେ ଷୋଡଶ ଦିନାତ୍ମକ ପୂଜା, ଚଳଚଞ୍ଚଳ ପୁରୀ