ବାଲେଶ୍ବର: କେଡେ ନିଷ୍ଠୁର କୋରୋନା । ଦୁଇ କଅଁଳ ଶିଶୁଙ୍କ ମୁଣ୍ଡ ଉପରୁ ପିତା ମାତାଙ୍କ ହାତ ଛଡାଇ ନେଇଛି କୋରୋନା । ଦୁନିଆକୁ ଭଲ ଭାବେ ଦେଖି ନଥିବା ଆଠ ବର୍ଷର କୁନି ଝିଅଟିଏ...ଦେଢ଼ ମାସର ସାନ ଭାଇକୁ ଧରି ଭଗବାନଙ୍କ ନିଷ୍ଠୁରତାକୁ ବାରମ୍ବାର ପ୍ରଶ୍ନ କରୁଛି । ଏ ଭଳି ଦୁଃଖଭରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ଗାଁରେ ।
ଗ୍ରାମର କମଳେଶ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ମିତା ଭୁବନେଶ୍ବରରେ ଚାକିରୀ କରୁଥିଲେ । ସ୍ମିତା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଭାବେ ଚାକିରୀ କରୁଥିବା ବେଳେ କମଳେଶ ରେଳବିଭାଗରେ ଚାକିରୀ କରୁଥିଲେ । ତାଙ୍କର ଗୋଟିଏ 8 ବର୍ଷର ଝିଅ ଟିଏ ଥିଲା । ଏହାରି ଭିତରେ ସ୍ମିତା ଗର୍ଭବତୀ ହେବାପରେ ପ୍ରସବକୁ ମାତ୍ର କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ସ୍ମିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ ସତ ମାତ୍ର 7 ଦିନ ପରେ ସେ ଜୀବନ ଯୁଦ୍ଧରେ ହାରିଗଲେ । ଅନ୍ୟପଟେ ସ୍ବାମୀ କମଳେଶ ବି କୋରୋନାରେ ଆକ୍ରାନ୍ତ ହୋଇ ସ୍ତ୍ରୀଙ୍କ ମୃତ୍ୟୁର 14 ଦିନ ଭିତରେ ଆରପାରିକୁ ଚାଲିଗଲେ । ଏମିତି ଅବସ୍ଥାରେ ଉଜୁଡି ଯାଇଥିଲା ସୁନାର ସଂସାର ।