ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ଠପ୍ ହୋଇଯାଇଛି । ଏଠାରେ ସ୍ବାସ୍ଥ୍ୟ ସେବା ମିଳୁନଥିବାରୁ ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଏଠିକାର ମେଡିକାଲ କଲେଜ ଯେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ସେ ଉଦ୍ଦେଶ୍ୟ ସାଧିତ ହେବା ପରିବର୍ତ୍ତେ ସାଧାରଣ ଲୋକଟିଏ ସ୍ୱାସ୍ଥ୍ୟ ସେବା ପାଇବାରେ ଅସୁବିଧା ଭୋଗୁଛି । ଏମିତି କିଛି ଅଭିଯୋଗ କରିଛି ବାଲେଶ୍ଵର ଜିଲ୍ଲା ସିପିଆଇଏମ କମିଟି ।
ସୂଚନା ଅନୁସାରେ, ସିପିଆଇଏମର ଜଣେ ସଦସ୍ୟ ଦୁର୍ଘଟଣାରେ ହାତ ଅସ୍ତ୍ରୋପଚାର ପାଇଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପଚାର କରିବା ବଦଳରେ ସମ୍ପୃକ୍ତ ରୋଗୀଙ୍କୁ କଟକ ବଡ଼ ମେଡିକାଲ ରେଫର କରାଯାଇଥିଲା । ପରେ କଟକ ବଡ଼ ମେଡିକାଲ ବାରିପଦା ଓ ବାରିପଦା ମେଡିକାଲ ପୁଣି ବାଲେଶ୍ଵର ମେଡିକାଲକୁ ରେଫର କରିଥିଲା । ଏହାରି ଭିତରେ ରୋଗୀଙ୍କ ହାତ ଅବସ୍ଥା ବିଗିଡ଼ି ଯାଇଛି ।