ବାଲେଶ୍ବର: ଆସନ୍ତା 15 ତାରିଖରେ ବାଲେଶ୍ୱରର ଲୋକ କଳା ଜଉ କଣ୍ଢେଇ ବାହାଘର ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶେଷ ହୋଇଛି ନିର୍ବନ୍ଧ କାର୍ଯ୍ୟ । ଚନ୍ଦନ ପୂର୍ଣ୍ଣମୀ ଅବସରରେ କନ୍ୟାଘର ପାତ୍ରପଡ଼ା ସୁନାରି ସାହି ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଲଗ୍ନଧରା କାର୍ଯ୍ୟ ସମସ୍ତ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।
ଶୁକ୍ରବାର ବରକର୍ତ୍ତା ସମ୍ଭୁନାଥ ଦାସ ଓ ତାଙ୍କର ପତ୍ନୀ ଅନାମିକା ଦାସ ବାଲେଶ୍ୱର ସିନେମା ଛକ ନିକଟରେ ଥିବା ସିଦ୍ଧିବିନାୟକ ମନ୍ଦିରରୁ ପୂଜାସାରି ମିଠା ଭାର ଧରି ପଟୁଆରରେ ବାହାରିଥିଲେ କନ୍ୟାଘରକୁ । କନ୍ୟାଘର ଲୋକେ ବାବା ଭୂଜାଖିଆପୂର ଛକ ନିକଟରୁ ଶଙ୍ଖ ହୁଳହୋଳି ଦେଇ ପାଛୋଟି ନେଇଥିଲେ ସ୍ୱପ୍ନେଶ୍ୱର ମନ୍ଦରିର ନିକଟକୁ । ସେଠାରେ ଜଥାବିଧି ମଙ୍ଗଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବାରିକ ସଂଘର ସଂପାଦକ ବିମଳ ବାରିକ ଓ ବ୍ରାହ୍ମଣ ସଂଘର ସକ୍ରୀୟ ସଦସ୍ୟ ତଥା କୁଳ ପୁରହିତ ବିମଳ ପଣ୍ଡା ସୁଚାରୁ ଭାବରେ ସେମାନଙ୍କର କାର୍ଯ୍ୟ ସମ୍ପନ୍ନ କରିଥିଲେ। କନ୍ୟା ମାତାପିତା ଭାବରେ ୨୬ନମ୍ବର ଜୋନ ଜିଲ୍ଲା ସଭ୍ୟା ସୋନାଲି ବିଶ୍ୱାଳ ଓ ତାଙ୍କର ସ୍ୱାମୀ ସୁଶାନ୍ତ କୁମାର ବିଶ୍ୱାଳ କନ୍ୟାର ବିବାହ ଆସନ୍ତା ମେ ମାସ ୧୫ ତାରିଖରେ କରିବାକୁ ସ୍ଥିର କରିଥିଲେ ।