ବାଲେଶ୍ବର :ଆଜିର ବ୍ୟସ୍ତବହୁଳ ଜୀବନରେ ଗରିବ ଓ ଅସହାୟ ମଣିଷର ଲାଜ ଢାଙ୍କିବାକୁ ସତେ ଯେମିତି କାହା ପାଖରେ ସମୟ ନଥାଏ। ସହରର ରାଜରାସ୍ତାରେ ଅସହାୟ ଅବସ୍ଥାରେ ଛିଣ୍ଡା ଦଦରା ଲୁଗାରେ ଗରିବ ଲୋକଟିଏ ଥଣ୍ଡା କାକରରେ ଶୋଇଥିବା ପ୍ରାୟ ସମସ୍ତଙ୍କ ନଜରକୁ ଆସେ। ହେଲେ ନଜର ଆଡେଇ ଚାଲିଯାଆନ୍ତି ଲୋକେ। ହେଲେ ସେମିତି କିଛି ଗରିବ ଓ ଅସହାୟଙ୍କ ପାଇଁ କିଛି କରି ଦେଖାଇଛନ୍ତି ବାଲେଶ୍ଵରର ଦି ନିୟୁ ହୋପ ସଂଗଠନର ସଦସ୍ୟ। ତତଲା ରାସ୍ତାରେ ଚାଲିବାର କଷ୍ଟ ହେଉ କି ଲାଜ ଢାଙ୍କିବାକୁ କେଇ ମିଟର କପଡା ହେଉ, ସେସବୁର ବନ୍ଦୋବସ୍ତ କରାଇଛନ୍ତି ଏହି ଯୁବ ଗୋଷ୍ଠୀ। ଗରିବ ଓ ଅସହାୟଙ୍କ ପାଇଁ କିଛି ସାହାଯ୍ୟ କରିବାର ଇଚ୍ଛା ନେଇ ଏହି ସଂଗଠନ ସହରର ଗଡ଼ଗଡ଼ିଆ ଛକ ନିକଟରେ ଖୋଲିଛି ଏକ ବସ୍ତ୍ର ଭଣ୍ଡାର।
ଯେଉଁଥିରେ ଲେଖା ଅଛି, ଯେତିକି ଦରକାର ସେତିକି ନିଅନ୍ତୁ, ଯେତିକି ବଳିଲା ସେତିକି ଦିଅନ୍ତୁ। ଏହାର ଅର୍ଥ ହେଉଛି ଯେଉଁ ଲୋକମାନଙ୍କ ପାଖରେ ଅଧିକ ସଂଖ୍ୟାରେ ପିନ୍ଧିବା ପାଇଁ ଲୁଗା ଅଛି ଓ ସେମାନେ ଦାନ କରିବାକୁ ଚାହୁଁଛନ୍ତି ସେମାନେ ଏହି ଭଣ୍ଡାରକୁ ଦାନ କରି ପାରିବେ। ଏହାଦ୍ବାରା ଯେଉଁମାନଙ୍କର ଏହି ସବୁ ଜିନିଷର ଆଵଶ୍ୟକତା ଅଛି ସେମାନେ ଏହି ଭଣ୍ଡାରରୁ ଆବଶ୍ୟକ ମୁତାବକ ଲୁଗା ନେଇ ପାରିବେ। ଏଥିପାଇଁ ପ୍ରଥମେ ସଂଗଠନର ସଦସ୍ୟମାନେ ନିଜର ପୁରୁଣା ବସ୍ତ୍ର, ଜୋତା ଆଦି ଭଣ୍ଡାରରେ ରଖିଥିଲେ। ପରେ ସହରବାସୀ ଭଣ୍ଡାରକୁ ନିଜର ପୁରୁଣା ବସ୍ତ୍ର ଦାନ କରି ଜଣେ ଗରିବକୁ ସାହାଯ୍ୟ କରିପାରିଛନ୍ତି । ଲୁଗା କି ଅନ୍ୟ ସାମଗ୍ରୀ ପ୍ରଦାନ ପାଇଁ ସଂଗଠନ ପକ୍ଷରୁ କିଛି ନିୟମାବଳୀ ଲାଗୁ କରାଯାଇଛି। ଲୋକମାନେ ଦାନ କରିବାକୁ ଚାହୁଁଥିବା ଲୁଗା ସଫା କରିବା ପରେ ଦାନ କରିବା ପାଇଁ କୁହାଯାଉଛି।