ବାଲେଶ୍ବର: କିଛି ଦିନ ହେବ ରାଜ୍ୟରେ ଅନେକ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସିଛି । ନୟାଗଡର ପରୀ ଓ ସ୍ବାତୀ ନିଖୋଜ ଘଟଣାର ନିଆଁ ଲିଭି ନଥିବା ବେଳେ ବାଲେଶ୍ବରରୁ ନାବାଳିକା ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜିଲ୍ଲାର ବାଲିଆପାଳ ଥାନା ଅଧୀନ ସୁନ୍ଦରକୋଇଲି ଗ୍ରାମର ନିଖୋଜ ନାବାଳିକାର ମୃତଦେହ ସୋମବାର ଉଦ୍ଧାର ହୋଇଛି । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି ।
ସୂଚନାନୁସାରେ, ବଳରାମ ପାତ୍ରଙ୍କ ସାତ ବର୍ଷର ଝିଅ ବିଷ୍ଣୁପ୍ରିୟା ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ । ଗତ ଶୁକ୍ରବାର ସେ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ଆଖପାଖ ଗାଁରେ ଘର ଲୋକ ଅନେକ ଖୋଜା ଖୋଜି କରିଥିଲେ ହେଁ କୌଣସି ଖବର ପାଇ ନଥିଲେ । ଘଟଣା ନେଇ ରବିବାର ପରିବାର ଲୋକ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।