ବାଲେଶ୍ୱର: ଓଡିଶା ରାଜସ୍ଵ ଅଧିକାରୀ ଓ ବଙ୍ଗୀୟ ବାଲିମାଫିଆଙ୍କ ମଧୁଚନ୍ଦ୍ରିକାରେ ଫସିଛି ସୁବର୍ଣ୍ଣରେଖା ବେଆଇନ ବାଲି ଚାଲଣ । ସଲାସୁତୁରା କରି ସୀମା ପାର ହେଉଛି ସୁବର୍ଣ୍ଣରେଖାର ବାଲି । ତେବେ ଏହି ବେଆଇନ ବାଲି ଚାଲଣ ସୀମା ନିର୍ଦ୍ଧାରଣରେ ରାଜସ୍ଵ ବିଭାଗ ଓ ବଡବଡ ସରକାରୀ ଅଧିକାରୀଙ୍କ ପକେଟ ଗରମ ହେଉଥିବାରୁ ସେମାନେ ଏଥିରେ ପ୍ରଧାନ ଅନ୍ତରାୟ ସାଜୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଜଳେଶ୍ୱର ସୁବର୍ଣ୍ଣରେଖା ନଦୀର ବାଲି ସୈରାତରୁ ବ୍ୟାପକ ଭାବରେ ଉତ୍ତୋଳନ, ବାଲି ଚାଲାଣ ସହ ସୀମା ନିର୍ଦ୍ଧାରଣ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ସାଜିଛି । ଏହାକୁ ନେଇ ଶନିବାର ଓଡିଶା ରାଜସ୍ଵ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ କୁଞ୍ଜ ବିହାରୀ ଧଳ, ବାଲେଶ୍ୱରର ଉପଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ସମେତ ସ୍ଥାନୀୟ ପୋଲିସ ପ୍ରଶାସନ ଉକ୍ତ ବାଲି ଖାଦାନକୁ ପରିଦର୍ଶନରେ ଯାଇଥିଲେ ।
ସେଠାରେ ବିଭିନ୍ନ ଖାଦାନ ଗୁଡିକର ସ୍ଥିତି ଓ ଦୀର୍ଘ ଦିନର ଥିବା ସୀମା ବିବାଦର ତଦନ୍ତ କରିଥିଲେ । ତେବେ ବିଳାସପୁର ବାଲି ସୈରାତରେ ଥିବା ବିଭିନ୍ନ ସମସ୍ୟାକୁ ବାଲେଶ୍ଵରର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଶାସନସଚିବଙ୍କୁ ଲୁଚାଇଥିବା ଅଭିଯୋଗ ହୋଇଛି ।
ଏହା ସହ ଓଲମରା ଆରଆଇ ଅଧୀନରେଥିବା ରାଜନଗର-ବିଳାସପୁର ବାଲି ଖାଦାନକୁ ପରିଦର୍ଶନ କରି ବାଲି ଉତ୍ତୋଳନ ଓ ସୀମା ନିର୍ଦ୍ଧାରଣ ବିଷୟରେ ସରପଞ୍ଚ ଯତୀନ୍ଦ୍ର ମହାନ୍ତି ବହୁ କଥାକହିବାକୁ ଚେଷ୍ଟା କରୁଥିଲେ । କିନ୍ତୁ, ରାଜସ୍ଵ ବିଭାଗର ଅଧିକାରୀମାନେ ତାଙ୍କୁ ସୁଯୋଗ ଦେଇନଥିବା ଦେଖିବାକୁ ମିଳିଥିଲା ।