ବାଲେଶ୍ବର:ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟକୁ ଦୀର୍ଘ ୧୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ବିରୋଧ କରି ବାଲିଆପାଳ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି । ବାଲିଆପାଳ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣରେ ବିଳମ୍ବ ହେବା ଓ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନା ଅନୁସାରେ, ସୁବର୍ଣ୍ଣରେଖା ମୁହାଣରେ ସୁବର୍ଣ୍ଣରେଖା ବନ୍ଦର ଲିମିଟେଡ 2187 କୋଟି ଟଙ୍କା ବିନିଯୋଗରେ 10 ବର୍ଥ ବିଶିଷ୍ଟ ବନ୍ଦର ନିର୍ମାଣ ପାଇଁ 2006 ଡିସେମ୍ବର 18 ତାରିଖରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା । ଏଥିପାଇଁ ଜମି ଅଧିଗ୍ରହଣ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମଧ୍ୟ ମିଳି ସାରିଛି । ମାତ୍ର ଉପଯୁକ୍ତ ସ୍ଥାନ ଓ ଗତିପଥକୁ ବାଦ ଦେଇ ସମ୍ପୃକ୍ତ କମ୍ପାନୀ ଅନ୍ୟପଟେ ବନ୍ଦର ନିର୍ମାଣ କାର୍ଯ୍ୟ କରିବାକୁ ଉଦ୍ୟମ କରୁଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରୁନାହିଁ ।