ବାଲେଶ୍ବର: ବସ୍ତାନି ବଦଳରେ ପିଲାଙ୍କ ପଛରେ ଗ୍ୟାସ ବୋଝ। ସ୍କୁଲ ଯିବା ବେଳେ ସାଇକେଲରେ ବ୍ୟାଗ ନଥାଇ ରହିଛି ଗ୍ୟାସ ଟାଙ୍କି । ଟିକେ ଭଲକି ନଜର ପକାନ୍ତୁ ଏହି ପିଲାମାନଙ୍କୁ କିପରି ଜନଗହଳି ପୂର୍ଣ୍ଣ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଏମାନେ ଗ୍ୟାସ ବୋହୁଛନ୍ତି। ଯାହାର ଭିଜୁଆଲକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର ତେବେ ପାଠପଢା ବୟସରେ ପିଲାଙ୍କୁ ଯଦି ଏପରି କାର୍ଯ୍ୟରେ ନିୟୋଜିତ କରାଯିବ ତେବେ ଏହି ପିଲାମାନଙ୍କ ଭବିଷ୍ୟତ କେତେ ଉଜ୍ବଳ ତାହା ଆପଣମାନେ ହିଁ ବିଚାର କରନ୍ତୁ। ଏ ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟର।
ପୂର୍ବରୁ ଅନେକ ଥର ସରକାରୀ ସ୍କୁଲରେ ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି। କେତେବେଳେ ପାଇଖାନା ସଫା ତ ଆଉ କେତେ କାଠ ବୋହିବା। ବର୍ତ୍ତମାନ ସ୍କୁଲ ପାଇଁ ଗ୍ୟାସ ଟାଙ୍କି ସାଇକେଲରେ ବୋହୁଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ଅନୁସାରେ, ଗତ ମାସ ଅଗଷ୍ଟ 27 ତାରିଖରେ ସାଇକେଲରେ ବାଲିଆପାଳ -ବସ୍ତା ବ୍ୟସ୍ତବହୁଳ ରାସ୍ତାରେ ବିପଦଜ୍ଜନକ ଭାବେ ଉଚ୍ଚ କ୍ଷମତା ସମ୍ପନ୍ନ ଦହନଶିଳ ରୋଷେଇ ଗ୍ୟାସ ଟାଙ୍କି ଏକ ଗ୍ୟାସ ଏଜେନ୍ସିରୁ ବିଦ୍ୟାଳୟକୁ ନେଉଥିଲେ। ସ୍କୁଲରେ ପିଅନ ଏ ସବୁ କାର୍ଯ୍ୟ ପାଇଁ ଥିବା ବେଳେ କେଉଁ ପରିସ୍ଥିତିରେ ଛାତ୍ରମାନଙ୍କୁ ଗ୍ୟାସ ଟାଙ୍କି ବୋହିବା ପାଇଁ କୁହାଯାଇଥିଲା ତାହାର ଉପଯୁକ୍ତ ତଦନ୍ତ ପାଇଁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ