ବାଲେଶ୍ବର: ସମାଜସେବା ପାଇଁ ରାଜନୀତି ପୃଷ୍ଠଭୂମି । ଯେତେ ସମାଜସେବା କଲେ ମଧ୍ୟ ରାଜନୀତି ସମ୍ପର୍କ ନଥିଲେ ଏଥିରେ ପ୍ରତିବନ୍ଧକ ସୃଷ୍ଟି ହେବ । ସମାଜସେବା ପାଇଁ ରାଜନୀତିର ଆବଶ୍ୟକତା ଉପଲବ୍ଧି କରି ସେ ଏଥିରେ ପାଦ ଥାପିଛନ୍ତି ବୋଲି ଭୋଗରାଇରୁ ବିଜେଡି ଆଶାୟୀ ପ୍ରାର୍ଥୀ ଇଞ୍ଜିନିୟର ବିଦୁବେନ୍ଦୁ ପାତ୍ର କହିଛନ୍ତି ।
ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇନିଜ ମତାମତ ରଖିଛନ୍ତି ଇଞ୍ଜିନିଅର ବାବୁ। ପେସାରେ ଜଣେ ଶିକ୍ଷାବିତ ତଥା ଇଞ୍ଜିନିୟର ଥିବା ବିଦୁବେନ୍ଦୁ ପ୍ରଥମ କରି ରାଜନୀତିରେ ପାଦ ଥାପିଛନ୍ତି । ଭୋଗରାଇରୁ ବିଜେଡି ଟିକେଟରେ ଆଗାମୀ ନିର୍ବାଚନରେ ଲଢିବା ପାଇଁ ସେ ଆଶାୟୀ ପ୍ରାର୍ଥୀ ଅଛନ୍ତି । ବିଜେଡିରେ ଯୋଗ ଦେବା ବିଷୟରେ ସେ କହିଛନ୍ତି ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ବାଭିମାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ତଥା ବର୍ତ୍ତମାନର ବାଲେଶ୍ବର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେଇଛନ୍ତି ।
ଭୋଗରାଇ ତାଙ୍କ ଜନ୍ମଭୂମି । ଏହାର ପାଣିପବନରେ ସେ ବଢିଛନ୍ତି । ଏହାର ସର୍ବାଙ୍ଗ ଉନ୍ନତି କରିବା ତାଙ୍କର ଏକାନ୍ତ ଇଚ୍ଛା । ଏଥିପାଇଁ ସେ ଭୋଗରାଇରୁ ନିର୍ବାଚନ ଲଢିବାକୁ ସେ ଆଶାୟୀ ବୋଲି କହିଛନ୍ତି । ତେବେ ଭୋଗରାଇର ହେଭିୱେଟ ନେତାଙ୍କ ଭିତରେ ଟିକେଟ ମିଳିବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏହା ଦଳ ସୁପ୍ରିମୋ ତଥା ସଭାପତିଙ୍କ ଉପରେ ନିର୍ଭର କରେ । ହେଭିୱେଟ କେହି ଆପେ ଆପେ ହୋଇନାହାନ୍ତି । ତାଙ୍କୁ ଦଳ ପ୍ଲାଟଫର୍ମ ଦେଇଛି । ଦଳର ପ୍ରେରଣାରେ ସେମାନେ ଏପରି ହୋଇଛନ୍ତି । ସେ ଯଦି ଟିକେଟ ପାଇବାକୁ ଯୋଗ୍ୟ ଥିବେ ତେବେ ଦଳ ସଭାପତି ତାଙ୍କୁ ଏଥିପାଇଁ ବାଛିବେ ।