ବାଲେଶ୍ବର: ବୟସର ଅପରାହ୍ନରେ ଅଲୋଡ଼ା ସାଜିଛନ୍ତି ବୃଦ୍ଧ। ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ବୁଢ଼ାଗଡ଼ିଆ ବଜାରଠାରେ। ପରିଣତ ବୟସରେ ମଧ୍ୟ ସେ ଏକୁଟିଆ ହୋଇ ଏଣେତେଣେ ଅସହାୟ ଅବସ୍ଥାରେ ପଡି ରହୁଥିଲେ। ତେବେ ଜନପ୍ରତିନିଧିଙ୍କ ସହାୟତାରେ ସେ ମେଡିକାଲରେ ଚିକିତ୍ସିତ ହେବାର ସୁଯୋଗ ପାଇଛନ୍ତି ସତ, ହେଲେ ତାଙ୍କ ସମ୍ପର୍କୀୟ କି ନିଜ ଲୋକ କେହି ବି ଦେଖିବା ପାଇଁ ଆସିନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦପୁର ପଞ୍ଚାୟତ ବୁଢ଼ାଗଡ଼ିଆ ତଥା ଆଖପାଖ ଗ୍ରାମରେ ଚିନ୍ତାମଣି ପାତ୍ର ନାମକ ଜଣେ ବୃଦ୍ଧ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ବୟସ ଧୀରେ ଧୀରେ ବଢିବା ପରେ ସେ ଗାଁ ଗାଁ ବୁଲି ଆଉ ଭିକ୍ଷାବୃତ୍ତି କରି ନପାରି ଶେଷରେ ଅସୁସ୍ଥ ହୋଇପଡିଲେ। ତାଙ୍କର ପରିବାରରେ କିଏ କିଏ ଅଛନ୍ତି ଓ କେଉଁଠି ଅଛନ୍ତି ସେନେଇ ବୃଦ୍ଧ ଜଣଙ୍କ ସଠିକ ଭାବେ କିଛି କହି ପାରୁ ନାହାନ୍ତି। ତେବେ ବୁଢ଼ାଗଡ଼ିଆ ବଜାର ନିକଟରେ ଥିବା ଏକ ଗଛ ମୂଳରେ ଅସୁସ୍ଥ ଅବସ୍ଥାରେ ପଡ଼ି ରହିଥିବାବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ ଓ ଜନପ୍ରତିନିଧି।
ଗୋବିନ୍ଦପୁର ପଞ୍ଚାୟତର ସମିତିସଭ୍ୟ ପ୍ରତିନିଧି ତଥା ସମାଜସେବୀ ଅନନ୍ତ ପ୍ରସାଦ ବାରିକ ଏବଂ ଯୁବ ସମାଜସେବୀ ନରହରି ମହାକୁଡ଼ ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଖାଦ୍ୟ ପେୟ ଯୋଗାଇ ଦେଇଥିଲେ। ଏହାସହ ତାଙ୍କୁ ଏକ ବୃଦ୍ଧାଶ୍ରମରେ ସ୍ଥାୟୀ ଭାବେ ରଖିବା ନେଇ ଆଲୋଚନା କରିଥିଲେ। ଅନନ୍ତ ସମ୍ପୃକ୍ତ ବୃଦ୍ଧଙ୍କୁ ନେଇ ତାଙ୍କ ଘରେ ରଖିବା ସହ ତାଙ୍କର ଖାଦ୍ୟ ପେୟ କଥା ବୁଝିଥିଲେ। 3 ଦିନ ଧରି ଅନନ୍ତ ଓ ତାଙ୍କ ପରିବାର ସେବା କରିବା ପରେ ବି ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ହଠାତ ବୃଦ୍ଧ ଜଣଙ୍କ ଆହୁରି ଅସୁସ୍ଥ ହୋଇ ପଡ଼ିଥିଲେ।