ବାଲେଶ୍ବର:ଖୁସି ବାଣ୍ଟୁଛି ସାମାଜିକ ସଂଗଠନ । ସେ ଜନ୍ମଦିନ ହେଉକି ବିବାହ ବାର୍ଷିକୀ ଲୋକଙ୍କ ମନରେ ଅନେକ ଖୁସିର ମାହୋଲ ରହିଥାଏ । ଏହି ଦିନ ଗୁଡିକୁ ପାଳନ କରିବା ପାଇଁ ଲୋକମାନେ ଅନେକ ପ୍ରକାର ଆୟୋଜନ କରିଥାନ୍ତି । ବିଶେଷ କରି ଅନେକ ଧନୀ ଶ୍ରେଣୀୟ ଲୋକମାନେ ଏହି ଦିନ ଗୁଡିକୁ ମନେ ରଖିବାପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ଏହାରି ଭିତରେ କିଛି ବ୍ୟକ୍ତି ବିଶେଷ ଏହି ସବୁ ଖୁସିର ଦିନ ଅସହାୟମାନଙ୍କ ସହ ବିତାଇ ଖୁସିକୁ ଦ୍ବିଗୁଣିତ କରିଥାନ୍ତି । ସେହିପରି ଏମିତି ଦିନ ଗୁଡିକ ଅଧିକ ମାତ୍ରାରେ ଖୁସି ଭରିଦେବା ପାଇଁ ବାଲେଶ୍ଵର ସହରର ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ସୋସାଇଟି ପକ୍ଷରୁ ପଦକ୍ଷେପ ନିଆଯାଉଛି । କାହାର ଜନ୍ମଦିନ ହେଉ କିମ୍ବା କୌଣସି ଖୁସିର ମୁହୂର୍ତ୍ତ ସେ ସବୁ ମୁହୂର୍ତ୍ତ ଏକ ସୁନ୍ଦର ଅନୁଭବ ଭାବେ ରଖିବା ପାଇଁ ସୋସାଇଟି ପକ୍ଷରୁ ବିଭିନ୍ନ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ହେଉ ଅବା ପୋଷାକ ପ୍ରଦାନ କରାଯାଉଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ଯେଉଁ ବ୍ୟକ୍ତିଙ୍କ ଜନ୍ମଦିନ କିମ୍ବା କୌଣସି ଖୁସିର ମୁହୂର୍ତ୍ତ ଥାଏ ଏଥିପାଇଁ ସେ ସମସ୍ତ ଖର୍ଚ୍ଚ ବହନ କରନ୍ତି ମାତ୍ର ସୋସାଇଟି ପକ୍ଷରୁ ଏ କାର୍ଯ୍ୟ ପାଇଁ ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇ ଖୁସି ବାଣ୍ଟିଥାନ୍ତି। ଏହିସବୁ କାର୍ଯ୍ୟକ୍ରମ ବିଶେଷ କରି ସହରର ଷ୍ଟେସନ ଛକରେ ବସୁଥିବା ଅସହାୟ ଲୋକ ଏବଂ ବିଭିନ୍ନ ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମ ଆଦିରେ ପାଳନ କରାଯାଇଥାଏ । ଖାଲି ସେତିକି ନୁହେଁ, ସହରର ଭୋକିଲାମାନଙ୍କ ଉଦ୍ଦେଶ୍ୟରେ ହେଲପିଙ୍ଗ ସୋସାଇଟି ସଙ୍ଗଠନ ପକ୍ଷରୁ ଏକ ନୂତନ ତଥା ନିଆରା କାର୍ଯ୍ୟକ୍ରମ ‘ଭୋକ ମୁକ୍ତ ଅଭିଯାନ’ ଆରମ୍ଭ ହୋଇଛି । ଏହି ଅଭିଯାନରେ ପ୍ରତ୍ୟେକ ଲୋକ ସାମିଲ ହୋଇ ନିଜର ଖୁସି ଦୁଃଖୀଙ୍କ ସହ ବାଣ୍ଟିବା ସହ ସେମାନଙ୍କ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ।