ବାଲେଶ୍ବର:RWSS (ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ) କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ସରକାରୀ ବାସଭବନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ କନିଷ୍ଠ ଯନ୍ତ୍ରୀ ଜଣକ ହେଲେ ସଞ୍ଜୟ କୁମାର ନାୟକ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ RWSSରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ସଞ୍ଜୟ । ସୂଚନା ଅନୁସାରେ, ଗତକାଲି (ଶନିବାର) ରାତିରେ ସେ ସବୁଦିନ ଭଳି ଖାଇ ସାରି ଶୋଇବାକୁ ଯାଇଥିଲେ । ହେଲେ ଆଜି ବହୁ ବିଳମ୍ବ ଯାଏଁ ଉଠିନଥିଲେ ।
ଅଫିସ ନଆସିବାରୁ ତାଙ୍କ ସହକର୍ମୀଙ୍କ ମନରେ ସନ୍ଦେହ ଉପୁଜିଥିଲା । ଏଣୁ ସେମାନେ ସଞ୍ଜୟ ରହୁଥିବା ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ସଞ୍ଜୟଙ୍କୁ ବିଛଣା ଉପରେ ପଡିରହିଥିବା ଦେଖିବାକୁ ପାଇଥିଲେ ।
ସେମାନେ ସେଠାରୁ ସଞ୍ଜୟକୁ ନେଇ ତୁରନ୍ତ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସଞ୍ଜୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ୍ୟର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ସରକାରୀ ବାସଭବନରେ ପହଞ୍ଚି ଛାନଭିନ କରିଛି ପୋଲିସ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବାଲିଆପାଳ ପୋଲିସ । ଏହାସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଲିଆପାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାପଡିଛି ।