ବାଲେଶ୍ବର: ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପରିଖି ପଞ୍ଚାୟତ ବତିଶମାଣିଆ ଗାଁକୁ ରାସ୍ତା ନାହିଁ । ଯୁଆଡେ ଚାହିଁଲେ ମାଟି କାଦୁଅ ରାସ୍ତା । ଆଉ ସେହି ରାସ୍ତା ଦେଇ ପ୍ରତିଦିନ ଗାଁ ଲୋକ ଯାତାୟତ କରିଥାନ୍ତି । ବର୍ଷା ହେଲେ ରାସ୍ତାରେ ଜମିଯାଏ ପାଣି । ସେହି ପାଣି ଭିତରେ ପଶି ଗାଁ ପିଲାମାନେ ନିତି ପାଠ ପଢିବାକୁ ଯାଉଥିବା ବେଳେ ଜରୁରିକାଳୀନ ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ହେଲେ ପ୍ରଶାସନ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ତତ୍ପରତା ପ୍ରକାଶ କରୁ ନ ଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ସୂଚନା ମୁତାବରକ, ବତିଶମାଣିଆ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ରହିଛି । ରାସ୍ତାର ଅବସ୍ଥା ପାଇଁ ଗ୍ରାମବାସୀ ରାଜନେତା ଓ ପ୍ରଶାସନକୁ ଦୋଷ ଦେବା ସହ ସବୁ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ 200ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଖଣ୍ଡେ ନାହିଁ ବରଂ ସାମାନ୍ୟ ବର୍ଷାରେ ଏହି ରାସ୍ତା କାଦୁଅ ସରସର ହେବା ଯୋଗୁଁ ଯିବା ଆସିବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଏହି ରାସ୍ତାରେ ଯାତାୟତ କରୁଥିବା ସ୍କୁଲ ଛାତ୍ରଛାତ୍ରୀମାନେ ପଡ଼ିଯାଇ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ଖାଲି ସେତିକି ନୁହେଁ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଗାଁରେ ପହଞ୍ଚିବା ବହୁତ କଷ୍ଟ ସାଧ୍ୟ । ଯେଉଁଠି ଚାଲିଚାଲି ଯିବା ଆସିବା କରିବା କଷ୍ଟସାଧ୍ୟ ସେଠି ଗାଡି ବା କେମିତି ଯିବା ଆସିବା କରିପାରିବ । ସେଥିପାଇଁ ଗାଁର କାହାରି ଦେହ ଖରାପ ହେଲେ ଖଟିଆ ସାହାଯ୍ୟରେ ସେମାନଙ୍କୁ ମେଡିକାଲ ପଠାଯାଇଥାଏ । ସ୍ଥାୟୀ ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀ ବହୁବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ ରାସ୍ତା ଯେମିତି କି ସେମିତି ପଡ଼ି ରହିଛି । ବାରମ୍ବାର ଗୁହାରି କରି ବିଫଳ ହେବା ପରେ ଶେଷରେ ଗ୍ରାମବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ।