ବାଲେଶ୍ବର:ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ଗାଁରେ ନାହିଁ ପକ୍କା ରାସ୍ତା ( Road Problem in Balasore) । ପ୍ରତି ଗାଁରେ ପକ୍କା ସଡକ ପାଇଁ କେନ୍ଦ୍ର ସରକାରଙ୍କୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ତାହା ଏବେ ଫେଲ ମାରିଛି । ପକ୍କା ସଡକ ଯେମିତି ସାତ ସପନ ହୋଇଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଯଇପୁର ଗ୍ରାମରେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।
ଗାଁରେ ନାହିଁ ପକ୍କା ରାସ୍ତା, ଅସନ୍ତୋଷ ଗ୍ରାମବାସୀ ଔପଦା ଗଣ୍ଡିବେଡ଼ ମୁଖ୍ୟ ରାସ୍ତା ବୁଢ଼ା ଗଡ଼ିଆ ଛକ ଠାରୁ ଯଇପୁର ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଫଳରେ ଆମ୍ବୁଲାନ୍ସଟିଏ ଯିବା ମଧ୍ୟ ସମ୍ଭବ ପର ହୋଇ ପାରୁନି । ଅନ୍ୟପଟେ ଗ୍ରାମ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ମଧ୍ୟ ସମାନ । ଟିକିଏ ବର୍ଷା ହେଲେ ପାଣି କାଦୁଅରେ ଭର୍ତ୍ତି ହୋଇପଡୁଛି ପୁରା ରାସ୍ତା । ଏନେଇ ସାହି ବାସିନ୍ଦା ଅନେକ ଥର ରାସ୍ତା କାମ ପାଇଁ ଦାବି କରିବା ପରେ ସରକାରୀ ସ୍ତରରେ ରାସ୍ତାକାମ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ମାତ୍ର ଠିକାଦାର କେବଳ ମାଟି ବିଛାଇ କାମ ସାରି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଏହା ବ୍ୟତୀତ ପ୍ରକାଶ ସାହୁ ନାମକ ଜଣେ ଯୁବକ ଯିଏ କି କମାଣ୍ଡୋ ଭାବେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ବେଳେ ନିଜ ଘରକୁ ଯିବାପାଇଁ ପ୍ରାୟ 55 ହଜାର ଟଙ୍କା ଖର୍ଚ୍ଚ କରି ମାଟି ଓ ଚିପ୍ସ ଗୁଣ୍ଡ ପକାଇ ରାସ୍ତା କାମ କରିଥିଲେ । ପୁଣି ସେହି ରାସ୍ତା ସରକାରୀ ସ୍ତରରେ କାମ କରାଯାଇ କେବଳ ମାଟି ବିଛାଇ କାମ ସାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏତଦ ବ୍ୟତୀତ ଗାଁକୁ ଆସିଥିବା ଅନୁଦାନ ଅର୍ଥ ବାଟମାରଣା ହୋଇଥିବା ଗ୍ରାମର କିଛି ଲୋକ ଅଭିଯୋଗ କରିଛନ୍ତି।
ଏନେଇ ଠିକାଦାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, 1 ଲକ୍ଷ 25 ହଜାର ଟଙ୍କାର ରାସ୍ତାରେ କେବଳ ମାଟି କାମ କରାଯାଇଛି । ସେହି ରାସ୍ତା ପାଇଁ 3 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆଗାମୀ ଦିନରେ ଉନ୍ନତ ରାସ୍ତାକାମ କରାଯିବ । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଗାଁକୁ ଉନ୍ନତ ମାନର ରାସ୍ତା ନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ କି ସମୁଦାୟ 484 ଜଣ ଲୋକ କାମ କରିଥିଲେ ମାତ୍ର କେତେ ଟଙ୍କା ମଜୁରୀ ବାବଦକୁ ଦିଆଯାଇଛି ତାହା ସେ ଉତ୍ତର ଦେବାରେ ଅସମର୍ଥ ହୋଇଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ