ବାଲେଶ୍ଵର:ପଥର ମାଫିଆଙ୍କ ଗୁଣ୍ଡାରାଜ । ନୀଳଗିରି ତହସିଲ ଅଧିନ ବାଘମରା ଗାଁରେ ଆରଆଇଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ତିନି ଦିନ ପୂର୍ବରୁ ବାଘମରା ନିକଟରେ ପଥର ମାଫିଆ ବେଆଇନ ବିସ୍ଫୋରଣ କରିଥିଲେ । ଏନେଇ ଖବର ପାଇ ସଜନାଗଡ଼ ତହସିଲଦାର ଆରଆଇଙ୍କୁ ଘଟଣାସ୍ଥଳକୁ ତଦନ୍ତ ପାଇଁ ପଠାଇଥିଲେ ।
ତେବେ ତଦନ୍ତ ପାଇଁ ଯାଇଥିବା ଆରଆଇ କେ.ସନ୍ତୋଷ କୁମାର ସେଠାରେ ପହଁଞ୍ଚିବା ପରେ ଖଣି ମାଫିଆଙ୍କ ସହିତ ତାଙ୍କର ବିବାଦ ହୋଇଥିଲା । ବେଆଇନ ଖଣି ଚଲାଉଥିବା ବାପପୁଅ ତଥା ବିଶ୍ଵନାଥ ଦାଶ ଓ ବିଶ୍ୱଜିତ ଦାସ ମିଶି ଆରଆଇଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କୁ ଲୁହା ରଡରେ ଗୋଡ଼ାଇ ଗୋଡ଼ାଇ ବାଡେଇ ଥିବା ଅଭିଯୋଗ ହୋଇଛି । ଏହା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି ପଥର ମାଫିଆ ।