ବାଲେଶ୍ଵର: ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ଆଦିବାସୀ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ । ଏନେଇ ହଳଦିଆ ଗ୍ରାମର ଆଦିବାସୀମାନେ କଲ୍ୟାଣପୁର ପଞ୍ଚାୟତର ରିଟେଲର ବସନ୍ତ ପଢିଆରୀଙ୍କ ନାମରେ ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।
ଅଭିଯୋଗ ଅନୁସାରେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ରିଟେଲର ବସନ୍ତ ପଢିଆରୀ ସେହି ପଞ୍ଚାୟତର ହଳଦିଆ ଗ୍ରାମର ଆଦିବାସୀ ଲୋକଙ୍କୁ ମାସ ମାସ ଧରି ରାସନ ସାମଗ୍ରୀ ନଦେଇ ହଡ଼ପ କରିଛନ୍ତି । ଲୋକମାନଙ୍କୁ ରାସନ କାର୍ଡ କଟିଯାଇଛି ବୋଲି କହି ରାସନ ସାମଗ୍ରୀ ଦେଇନଥିବା ଅଭିଯୋଗ ହୋଇଛି । ହଳଦିଆ ଗ୍ରାମର ସୁକ ସିଂଙ୍କର ୪୫ ମାସ, କଠିନ ସିଂଙ୍କର ୨୧ ମାସ, ସସ୍ମିତା ସିଂଙ୍କର ୭ ମାସ ଓ ମଞ୍ଜୁଲତା ରାଉତଙ୍କର ୧୧ ମାସର ରାସନ ସାମଗ୍ରୀ ଦେଇ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ସେହିଭଳି ସେହି ଗ୍ରାମର ଲକ୍ଷ୍ମୀ ସିଂ, ଶ୍ରୀସତୀ ସିଂ, ପୁଣ୍ଟ ସିଂ, କୁନି ସିଂ, ବାସନ୍ତୀ ସିଂ, ବୁଧୁନି ସିଂ ଓ କବିତା ସିଂଙ୍କ ସହ ଅନେକ ହିତାଧୀକାରୀ ୩ ମାସର ଚାଉଳ ପାଇନଥିବା ଅଭିଯୋଗ କରିଛନ୍ତି ।