ବାଲେଶ୍ବର: ରେମୁଣା ବିଧାୟକଙ୍କ ନାଁରେ କୃଷି ଯନ୍ତ୍ରପାତି ସବସିଡି ହଡପ ଅଭିଯୋଗରେ ଗତ ୨୬ରେ ରେମୁଣା ବନ୍ଦ ଡାକରା ଦିଆଯାଇଥିଲା । ତେବେ ବିଧାୟକ ସୁଧାଂଶୁ ପରିଡା ଦୋଷୀ କି ନିର୍ଦ୍ଦୋଷ ତାହା ବିଚାରଧୀନ ଥିବାବେଳେ ଏହାକୁ ନେଇ ଜଣେ ଯୁବକ ସୋସିଆଲ ମିଡିଆରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆକ୍ଷେପ ଓ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଧାୟକଙ୍କ ସମର୍ଥକମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି । ରେମୁଣା ଏନଏସିର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ସଭାପତି, ସରପଞ୍ଚ ଓ ସମିତି ସଭ୍ୟମାନେ ସମ୍ପୃକ୍ତ ଯୁବକ ତନୟ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଛନ୍ତି ।
ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନେତୃତ୍ବରେ ଜନସାଧାରଣଙ୍କର ବିକାଶ ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି । ଏହାକୁ ସହ୍ୟ କରିନପାରି ରେମୁଣା ବିଜେପି ପକ୍ଷରୁ ବିଜେଡି ଓ ଏହାର ବିଧାୟକଙ୍କୁ ବଦନାମ କରିବା ପାଇଁ ହୀନ ଉଦ୍ଦେଶ୍ୟ ରଖି ଗତ ୨୬ ତାରିଖରେ ରେମୁଣା ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରତିବାଦ ସ୍ବରୂପ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନେ ବାଲେଶ୍ବର ଷ୍ଟେସନ କ୍ଲବରେ ପ୍ରକୃତ ସତ୍ୟ ଜନସାଧାରଣଙ୍କୁ ସୂଚିତ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଏହି ସମ୍ମିଳନୀର ବିବରଣୀ ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇଛି ।