ଭୁବନେଶ୍ବର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡିରେ ଅସନ୍ତୋଷର ବିଦ୍ରୋହ ସେତେ ବଢିବାରେ ଲାଗିଛି I ଦିନକୁ ଦିନ ଛାମୁଆ ନେତା ବିଜେଡି ଛାଡିବାରେ ଲାଗିଛନ୍ତି I ଗତ 3 ଦିନ ମଧ୍ୟରେ ଉପକୂଳ ଓଡିଶାର ଏହି ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧ ଏବେ ଦଳ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ମୁଖ୍ୟତଃ ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଓ ମୟୂରଭଞ୍ଜରେ ବିଜେଡି ବିଦ୍ରୋହ ଦଳକୁ ମହଙ୍ଗା ପଡିପାରେ ବୋଲି ଆଲୋଚନା ହେଉଛି । ମୟୂରଭଞ୍ଜରୁ ପ୍ରବୀଣ, ବାଲେଶ୍ବରରୁ ରଘୁ ମହାନ୍ତି, ଭଦ୍ରକରୁ ଅର୍ଜୁନ ଚରଣ ସେଠୀ ଏବଂ ଯାଜପୁରରୁ ମୋହନ ଦଳ ଛାଡିବା ପରେ ଉପକୂଳ ଓଡିଶାରେ ବିଜେଡି ଦୁର୍ଗ ଉପରେ ପ୍ରଭାବ ପଡିବ କି ? ଏହି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଙ୍କି ମାରିଛି ।
ଜଗତସିଂହପୁରରେ ଦାମ ଓ କେନ୍ଦ୍ରାପଡାରେ ଜୟ-ବିଜୟ ଯୋଡି ବିଜେଡି ବିଜୟ ରଥ ରୋକିବାରେ ସଫଳ ହେବେ କି ? ଏବେ ଏଭଳି ପ୍ରଶ୍ନ ଏବେ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଖାଲି ଏତିକି ନୁହେଁ ଦଳରୁ ଟିକେଟ୍ ଆଶାୟୀ ଥିବା ଭଦ୍ରକର ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ଓ ତାଙ୍କ ସମର୍ଥକ ନବୀନ ନିବାସ ଆଗରେ ଖୋଲାଖୋଲି ବିଦ୍ରୋହ କରିବା ପାଇଁ ଧମକ ମଧ୍ୟ ଦେଇଛନ୍ତି ।
ସେପଟେ ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ମିଳିବା ପରେ ସେଠି ମଧ୍ୟ ସମାନ ଧରଣର ବିରୋଧ ଦେଖାଦେଇଛି । ଜିଲ୍ଲା କାର୍ଯ୍ୟାଳୟ ଭଙ୍ଗାରୁଜା ଠାରୁ ଆରମ୍ଭ କରି ନବୀନ ନିବାସ ଆଗରେ ଆଶାୟୀ ଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକ ପ୍ରଶାନ୍ତଙ୍କୁ ବିରୋଧ କରିବା ସହ ବିଜେଡି ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ହେବାକୁ ଚେତାବନୀ ଦେଇଛନ୍ତି । ସେପଟେ ବରୀ ନିର୍ବାଚନମଣ୍ଡଳୀ ଓ ନିଆଳିରେ ମଧ୍ୟ ଅସନ୍ତୋଷ ଅସମ୍ଭାଳ ହୋଇଛି । ହେଲେ ଦଳ ଏସବୁ କିଭଳି ପ୍ରଶମିତ କରି ଆଗକୁ ବଢୁଛି ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ