ବାଲେଶ୍ବର: ଆସନ୍ତାକାଲି ବାଲେଶ୍ବର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଅନେକ ଦିନରୁ ଅପେକ୍ଷାରେ ଥିବା ଶୋଭାରମପୁର ରେଳ ଓଭରବ୍ରିଜର ଉଦ୍ଘାଟନ ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଏବେ ଏହି ପୋଲ ଉଦ୍ଘାଟନ ନକରିବା ପାଇଁ ରେଳ ବିଭାଗ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି ।
ରେଳ DRM ଏମଏସ ହାସମୀଙ୍କ ଚିଠି ଅନୁସାରେ, ଉକ୍ତ ଓଭରବ୍ରିଜ ଏଯାଏଁ ସୁରକ୍ଷା ଦୃଷ୍ଟିରେ ସାର୍ଟିଫିକେଟ ପାଇନାହିଁ । ଏହାର NOC ମଧ୍ୟ ଦିଆଯାଇନାହିଁ । ଏଥିପାଇଁ ଉକ୍ତ ପୋଲର ଏବେ ଶିଳାନ୍ୟାସ ନକରି ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇବାକୁ ଅନୁରୋଧ କରାଯାଇଛି । ଏହି ଚିଠି DRM ବାଲେଶ୍ଵର ଜିଲ୍ଲାପାଳଙ୍କୁ ପଠାଇଥିବା ଜଣାପଡ଼ିଛି । ତେବେ ସୁରକ୍ଷା ପ୍ରମାଣ ପତ୍ର ଦକ୍ଷ ଅଧିକାରୀମାନେ ଦେବାକୁ ଥିବା ବେଳେ ଏହା ପୂର୍ବରୁ ପୋଲ ଉଦଘାଟନ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଯେଉଁଥିରେ ଆସନ୍ତା ଜାନୁଆରୀ ୨୩ ତାରିଖ ଭିତରେ ସୁରକ୍ଷା ପ୍ରମାଣ ପତ୍ର ଦେବାପରେ ପୋଲ ଉଦ୍ଘାଟନ କରିବାକୁ ଉଲ୍ଲେଖ ରହିଛି । ତେବେ ମୁଖ୍ୟମନ୍ତ୍ରୀ ପୂର୍ବ ପ୍ରସ୍ତୁତ ସୂଚୀ ଅନୁସାରେ ପୋଲ ଉଦଘାଟନ କାଲି କରିବେ ନା ସୁରକ୍ଷା ପ୍ରମାଣପତ୍ର ମିଳିବା ପରେ କରିବେ ତାହା ହିଁ ଦେଖିବାକୁ ବାକି ରହିଲା ।