କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ସମାବେଶ ଆୟୋଜିତ ବାଲେଶ୍ବର: ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜେପି ଓ ମୋଦି ସରକାରଙ୍କ ବିରୋଧରେ ନାରା ଦେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ସହରର ଗାନ୍ଧିସ୍ମୃତି ଭବନ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପାହଞ୍ଚିଥିଲା । ସେଠାରେ ମୋଦି ସରକାର ଗଣତନ୍ତ୍ରକୁ ହତ୍ୟା କରୁଥିବା ଅଭିଯୋଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ ସାରା ଭାରତ ବର୍ଷରେ କଂଗ୍ରେସ ଦଳ ଏକଜୁଟ ହୋଇ ପ୍ରତିବାଦ କରୁଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦଳ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ସଭାର ଆୟୋଜନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବାଲେଶ୍ଵର ଲୋକସଭା କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ବର୍ଷିଥିଲେ ।
ଆଦାନୀ ଗ୍ରୁପ ସହ ପ୍ରଧାନମନ୍ତ୍ରୀଙ୍କ କି ପ୍ରକାର ସମ୍ପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଶ୍ନ ଉଠାଇବାରୁ ଗୁଜୁରାଟରେ ଚାଲିଥିବା ମକଦ୍ଦମାକୁ ପୁନଃ ବିଚାର କରାଯାଇ ତାଙ୍କୁ କାରାଦଣ୍ଡ ଦିଆଗଲା ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଦଳ ମୋଦି ଓ ଅଦାନୀଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କ କୁ ପର୍ଦ୍ଦାଫାସ କରିବ ଓ ଜନତାଙ୍କ ପାଖକୁ ଯାଇ ଉତ୍ତର ମାଗିବ ବୋଲି କୁହାଯାଇଛି । ଜର୍ମାନୀର ସ୍ଵେଚ୍ଛାଚାରୀ ଶାସକ ହିଟଲର ଯେଭଳି ଦ୍ୱିତୀୟ ବିଶ୍ୱ ଯୁଧ୍ୟ ବେଳେ ନିରୀହ ଲୋକଙ୍କୁ ହତ୍ୟା କରୁଥିଲା ଏବେ ଭାରତରେ ମୋଦି ସରକାର ଧର୍ମ ଆଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଓ ଘୃଣା ମନୋଭାବ ସୃଷ୍ଟି କରି ରାଷ୍ଟ୍ରକୁ ଭାଗଭାଗ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି କଂଗ୍ରେସ ।
ଆଦାନୀ ଗ୍ରୁପରେ ବେନାମୀ ଭାବେ କିଏ 20ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି ଓ କେଉଁ ଚାଇନିଜ ଶିଳ୍ପ ପତି ଡ୍ରୋନ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ଅର୍ଥ ବିନିଯୋଗ କରି ରାଷ୍ଟ୍ରର ସୁରକ୍ଷାକୁ ବିପନ୍ନ କରୁଛନ୍ତି ତାର ତଥ୍ୟ ପ୍ରଧାନମନ୍ତ୍ରୀ ଜନତାଙ୍କ ସମ୍ମୁଖରେ ଘୋଷଣା କରନ୍ତୁ ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିବାରୁ ତାଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ପ୍ରଧନମନ୍ତ୍ରୀ ଷଡଯନ୍ତ୍ର କରିଛନ୍ତି ବୋଲି ନବଜ୍ୟୋତ କହିଛନ୍ତି । ଏହି ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସଙ୍କ ସମେତ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
ଇଟିଭି ଭାରତ, ବାଲେଶ୍ବର