ବାଲେଶ୍ଵର: କାରଖାନା ଯୋଗୁ କ୍ଷତି ଆଶଙ୍କା କରି ସାମ୍ବାଳିକ ସମ୍ମିଳନୀ କରାଯାଇଛି । ରେମୁଣା ବ୍ଲକର ତୁଣ୍ଡରା ଗ୍ରାମରେ ସ୍ଥାପିତ ଫିସ୍ ମିଲ ଏବଂ ସୁସୁମୀ ପ୍ରସ୍ତୁତକାରୀ କାରଖାନା M/s Gadre Marine Export Pvt. Ltd ଦ୍ଵାରା ହେବାକୁ ଯାଉଥିବା ବ୍ୟାପକ କ୍ଷତି ଆଶଙ୍କା କରି ମାଆ ମାଟି ସୁରକ୍ଷା ମଞ୍ଚ ଏକ ପ୍ରେସ୍ମିଟ୍ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ପୁରୁଖା ନେତା ଉପସ୍ଥିତ ରହି ପଚା ମାଛ ପ୍ରକ୍ରିୟାକରଣ ଦ୍ୱାରା ଅଞ୍ଚଳବାସୀଙ୍କ କ୍ଷତି ବାବଦରେ ଉପସ୍ଥାପନ କରିଥିଲେ।
ସୂଚନା ଅନୁସାରେ, M/s Gadre Marine Export Pvt. Ltd ନାମକ କମ୍ପାନୀ ତୁଣ୍ଡରା ଗ୍ରାମପଞ୍ଚାୟତ ଜମିକ୍ରୟ କରି କଣ୍ଟିଆଚିରା ନଈ ପାଖରେ ଏକ ପଚାମାଛ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା କରିଛି । ପ୍ରାୟ ୧୫ଶହ ମେଟ୍ରିକ ଟନ୍ ପଚାମାଛକୁ ଧୋଇବା ଏବଂ ପ୍ରକ୍ରିୟାକରଣ କରି ସୁସୁମୀ ତିଆରି କରିବା ପାଇଁ ଏହି କମ୍ପାନୀ 3 ଲକ୍ଷ ଲିଟର ପାଣି ବୋରୱେଲ ସାହାଯ୍ୟରେ ଭୂତଳରୁ ଉତ୍ତୋଳନ କରିବ । ଏଥିପାଇଁ ୧୦ଟି ବଡ଼ ବୋରୱେଲ ଖୋଳିଥିବାବେଳେ ଆଉ ୧୦ଟି ଖୋଳା କାର୍ଯ୍ୟ ଚାଲିଛି । ଏତେ ପରିମାଣର ଭୂତଳ ଜଳ ଉତ୍ତୋଳନ କରିବା ଦ୍ବାରା ଏହି ଅଞ୍ଚଳରେ ପ୍ରାୟ ୨୦ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ସମସ୍ତ ଛୋଟ, ମଧ୍ୟମ ଓ ସରକାରୀ ଓ ଗଭୀର ନଳକୂପ ଶୁଖିଯିବା ସହିତ ପିଇବା ପାଣିର ଉତ୍କଟ ଅଭାବ ଦେଖାଦେବାର ଆଶଙ୍କା କରାଯାଇଛି ।
ଏପରିକି ଅଞ୍ଚଳବାସୀ ଚାଷ କାର୍ଯ୍ୟ କରିବା ପାଇଁ ମଧ୍ୟ ପାଣି ପାଇବେ ନାହିଁ ବୋଲି ପ୍ରେସମିଟରେ କୁହାଯାଇଛି । ପ୍ଲାବନ ଭୂମିରେ କୌଣସି ପ୍ରକାର ଗୃହ କିମ୍ବା କାରଖାନା ସ୍ଥାପନ କରା ନଯିବା ପାଇଁ ସରକାରଙ୍କ ସ୍ପଷ୍ଟ ଆଇନ ଥିବାବେଳେ ପ୍ରାୟ ୨୦ରୁ ୨୫ ପଞ୍ଚାୟତର ବର୍ଷାଜଳ ଏହି ଅଞ୍ଚଳ ଦେଇ କଣ୍ଟିଆଚିରା ନଇ ବାଟରେ ସମୁଦ୍ରକୁ ଯାଇଥାଏ । ଏହି କମ୍ପାନୀ ନିଜର କାରଖାନାକୁ Catchment Area ମଧ୍ୟରେ ଏବଂ ନଈର ଠିକ୍ ଆଡ଼ି ଉପରେ ପ୍ରତିଷ୍ଠା କରି ବର୍ଷାଜଳ ନିଷ୍କାସନର ମୁଖ୍ୟ ସ୍ରୋତକୁ ବନ୍ଦ କରିଦେଇଛି । କଣ୍ଟିଆଚିରା ନଈର କିଛି ଅଂଶକୁ ପୋତିଦେଇ ତାହାକୁ ନିଜ ଅକ୍ତିଆର ମଧ୍ୟକୁ ନେଇଯାଇଛି। ଫଳରେ ବର୍ଷାଋତୁରେ ଏହି କ୍ୟାଚମେଣ୍ଟ ଅଞ୍ଚଳ ଦେଇ ଜଳ ନିଷ୍କାସନ ହୋଇପାରିବ ନାହିଁ ଏବଂ ଲକ୍ଷଲକ୍ଷ ଲୋକେ ଏଥିପାଇଁ ପ୍ରଭାବିତ ହେବେ ବୋଲି ଅଭିଯୋଗ ହୋଇଛି।