ବାଲେଶ୍ବର: ବାଲେଶ୍ଵର ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଜିଲ୍ଲାସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ଵର ସହର ତଥା ଜାତୀୟ ରାଜପଥର ଦୁରାବସ୍ଥା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ତାଗିଦ କରାଯାଇଥିଲା।
ଏଥିସହ ସହର ଭିତରେ ସମସ୍ତ ରାସ୍ତାର ତୁରନ୍ତ ମରାମତି ଓ 6 ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କୁହାଯାଇଥିଲା। ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଭାବେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେପଟେ ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ନେଇ ବୈଠକରେ ଉଦବେଗ ମଧ୍ୟ ପ୍ରକାଶ ପାଇଥିଲା। ଯେଉଁଥିରେ ଦୁର୍ଘଟଣା ପାଇଁ ରାସ୍ତାର ଶୋଚନୀୟ ଅବସ୍ଥା ଦାୟୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।