ବାଲେଶ୍ବର: ଦଇବ ଦାଉ ସାଧିଛି । ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ ମୁହଁ ଚାହିଁ ବଞ୍ଚିବାର ଆଶା ରଖିଥିବା ମାଆ ଦୁଃଖର ପାହାଡ ତଳେ ଚାପି ହୋଇପଡିଛି । ଗୋଟିଏ ପଟେ ଦାରିଦ୍ର୍ୟର ତାଡନା ଏବଂ ଅନ୍ୟପଟେ ବିଛଣାରେ ପଡିଛି ଦିବ୍ୟାଙ୍ଗ ପୁଅ । ନା ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତଟିଏ ଅଛି, ନା ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବାକୁ ମିଳୁଛି । ଏହିଭଳି ପ୍ରତିଦିନ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଦିନ କାଟୁଛନ୍ତି ବାଲେଶ୍ବର ଜିଲ୍ଲା ରାଇବଣିଆ ଗ୍ରାମର କୁନି ଗାନ୍ଧୀ ଏବଂ ତାଙ୍କ ଦିବ୍ୟାଙ୍ଗ ପୁଅ । କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ ଭଉଣୀଙ୍କୁ ନେଇ ଆସେ । ଠିକ୍ ସେମିତି କିଛି ଘଟିଛି କୁନିଙ୍କ କ୍ଷେତ୍ରରେ ।
ରାଇବଣିଆ ଗାଁର କୁନି ଗାନ୍ଧୀ । ସ୍ବାମୀଙ୍କ ମୃତ୍ୟୁ ପରେ ପୁଅର ମୁହଁକୁ ଚାହିଁ ଆଜି ସେ ବୟସର ଅପରାହ୍ନରେ ପହଞ୍ଚିଛନ୍ତି । ଏହି ଗରୀବ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଛି । ପୁଅ ତପନ ଗାନ୍ଧୀ ଜନ୍ମରୁ ଭିନ୍ନକ୍ଷମ । ୩୫ ବର୍ଷ ହେଲାଣି ତପନ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଯେଉଁ ବୟସରେ ପୁଅ ମାଆର ଆଶାବାଡି ହେବା କଥା, ସେହି ବୟସରେ ଏବେ ସେ ମାଆ ପାଇଁ ବୋଝ ସାଜିଛନ୍ତି । ଦଣ୍ଡେ ଚାଲିବାକୁ ଅକ୍ଷମ ତପନ । ଖାଇବା ପିଇବା ଠାରୁ ଆରମ୍ଭ କରି ପୁଅର ଯେତେସବୁ ନିତ୍ୟକର୍ମ ମାଆ କୁନି କରୁଛନ୍ତି । ମାଳ ମାଳ ସରକାରୀ ଯୋଜନା ଭିତରେ ଏହି ଗରୀବ ପରିବାର ପକ୍କା ଘର ଠାରୁ ବଞ୍ଚିତ । ଚାଉଳ ଓ ଭତ୍ତା ବ୍ୟତୀତ ସେମାନେ ଅନ୍ୟ କୌଣସି ସରକାରୀ ସହାୟତା ପାଉନାହନ୍ତି । ତେଣୁ ବର୍ଷ ବର୍ଷ ହେଲାଣି ଭାଗ୍ୟକୁ ଆଦରି ଭଙ୍ଗା ମାଟି ଛପର ଘରେ ଦିନ କାଟୁଛନ୍ତି ମାଆପୁଅ ।