ବାଲେଶ୍ବର:ଗରିବ ଦୁଃଖୀ ପରିବାର ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଗରୀବ ଲୋକଙ୍କ ପାଖରେ ସରକାରୀ ଯୋଜନା ଏବେ ବି ଅପହଞ୍ଚ । ଗ୍ରାମାଞ୍ଚଳରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ଆମେ କହୁଛୁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ବଣିଆମାରୀ ଗ୍ରାମର ଚତୁର୍ଥ ଶ୍ରେଣୀ ଛାତ୍ରୀ ଗୁଞ୍ଜନଙ୍କ କଥା । ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଗୁଞ୍ଜନଙ୍କ ପାଇଁ ଅର୍ଥ ସାଜିଛି ବାଧକ ।
ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ବଣିଆମାରୀ ଗ୍ରାମର ବାସିନ୍ଦା ମନ୍ମଥ ଧଳ । ଦୁଇଟି ପୁଅ, ଝିଅ ବୃଦ୍ଧ ବାପାମାଆ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର । ଝିଅ ଗୁଞ୍ଜନ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ ପ୍ରବଳ ଜ୍ବର ହେବା ସହ ମୁଣ୍ତ ବୁଲାଇବାରୁ ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ହେଲେ ତାଙ୍କର ଜ୍ବର ଭଲ ହୋଇ ନଥିଲା । ଏହାପରେ ପରିବାର ଲୋକେ ଗୁଞ୍ଜନଙ୍କୁ ଭୁବନେଶ୍ବର ଏମ୍ସକୁ ନେଇ ଦେଖାଇ ଥିଲେ । ସେଠାରେ ଦୁଇ ତିନି ମାସ ଧରି ଚିକିତ୍ସା ହେବା ପରେ ମଧ୍ଯ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ଦିନକୁ ଦିନ ସ୍ଥିତି ବିଗିଡିବାକୁ ଲାଗିବାରୁ ପରିବାର ଲୋକେ ଧାର କରଜ ଏବଂ ଜମିବାଡି ବିକ୍ରି କରି ଏକ ଘରୋଇ ଡାକ୍ତରଖାନାରେ ଗୁଞ୍ଜନର ଚିକିତ୍ସା କରାଇଥିଲେ । ସେଠାରେ ଡାକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଏଥିପାଇଁ ରାଜ୍ୟ ବାହାରକୁ ବଡ଼ ଡ଼ାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ହେଲେ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ପରିବାର ଲୋକେ ଗୁଞ୍ଜନର ଚିକିତ୍ସା ପାଇଁ ବାହାର ରାଜ୍ୟକୁ ନେବାରେ ଅସମର୍ଥ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଦୃଷ୍ଟିହୀନ ଭିକ୍ଷୁକଙ୍କ କଣ୍ଠରେ ବିଜେ ସରସ୍ବତୀ, ଦେଖି ପାରୁନି ପ୍ରଶାସନ !