ଓଡିଶା

odisha

ETV Bharat / state

ସିମୁଳିଆ ରାଜନୀତି: ଆସନ ହାତେଇବେ ନୂଆ ଚେହେରା ନା ବଜାୟ ରହିବ ପରିବାରବାଦ ? - ଟିକେଟ୍ ଆଶାୟୀ

Simulia Politics: ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଗଡ଼ ହାତେଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଶାୟୀଙ୍କ ସଂଖ୍ୟା ବଢିଥିବା ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

simulia assembly constituency
ସିମୁଳିଆ ରାଜନୀତି

By ETV Bharat Odisha Team

Published : Dec 20, 2023, 7:31 PM IST

ସିମୁଳିଆ ରାଜନୀତି

ବାଲେଶ୍ବର: ଆସୁଛି 2024 ନିର୍ବାଚନ । ଏନେଇ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଟିକେଟ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଜେଡି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୁଣି ଥରେ ସିମୁଳିଆ ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ଥିବା ଜଣାପଡିଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ଏବଂ ସିମୁଳିଆ ୨ ଟି ବ୍ଲକର ୫୯ଟି ପଞ୍ଚାୟତକୁ ନେଇ ଗଠିତ । ୧୯୫୧ରେ ଏହି ନିର୍ବାଚନମଣ୍ଡଳୀର ସିଟ୍ ଅକ୍ତିଆର କରିଥିଲା କଂଗ୍ରେସ । ସେବେଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଏକାଧିକ ଦଳର ପାର୍ଥୀମାନେ ବିଧାୟକ ହେବାରେ ସୁଯୋଗ ପାଇଛନ୍ତି । ୨୦୦୯ ରୁ ୨୦୧୯ ନିର୍ବାଚନରେ ଲଗାତାର ବିଜେଡି ହାତକୁ ଯାଇଛି ସିମୁଳିଆ ଆସନ ।

୨୦୦୯ରେ ବିଜେଡିରୁ ଲଢ଼ି ପର୍ଶୁରାମ ପାଣିଗ୍ରାହୀ ଜିତିଥିବାବେଳେ ୨୦୧୪ ରେ ତାଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଲଢ଼ି ବିଜୟର ମୁକୁଟ ପିନ୍ଧିଥିଲେ। ତେବେ ବିଜେଡିରୁ ଲଢୁଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୬୫ ହଜାର ୮୫୪, କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପଦ୍ମଲୋଚନ ପଣ୍ଡାଙ୍କୁ ୫୭ ହଜାର ୯୧୭, ବିଜେପିରୁ ପ୍ରାର୍ଥୀ ହୋଇଥିବା ଶଶୀ କୁମାର ସାହୁଙ୍କୁ ୨୮ ହଜାର ୦୧୧ଖଣ୍ଡ ଭୋଟ ମିଳିଥିଲା । ବିଜେଡି ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କଂଗ୍ରେସର ପଦ୍ମଲୋଚନ ପଣ୍ଡାଙ୍କୁ ୭ହଜାର ୯୭୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ମୋଟ ୨ଲକ୍ଷ ୧୧ହଜାର ୧୩୬ ଭୋଟର ମଧ୍ୟରୁ ୧,୫୫,୯୦୬ ମତଦାନ କରିଥିଲେ । ୨୦୧୪ରେ ବିଜେଡିରୁ ଜିତିଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀକୁ ୨୦୧୯ ରେ ବିଜେଡି ପୁଣି ଟିକେଟ ଦେଇଥିଲା ।

ସେପଟେ ୨୦୧୪ରେ କଂଗ୍ରେସରୁ ଲଢ଼ି ପଦ୍ମଲୋଚନ ପଣ୍ଡା ପରାସ୍ତ ହୋଇଥିବାବେଳେ ୨୦୧୯ରେ ବିଜେପି ପଦ୍ମଲୋଚନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା। ଆଉ କଂଗ୍ରେସ ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡିରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁଣି ଥରେ ୯୦ ହଜାର ୦୮୩ ଭୋଟ ପାଇ ବିଜୟ ହୋଇଥିବାବେଳେ ବିଜେପିରୁ ପଦ୍ମଲୋଚନ ୭୫ହଜାର ୧୨୪ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସରୁ ଅନନ୍ତ ପ୍ରସାଦ ସେଠୀ ୮, ୩ ହଜାର ୫୩ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ମୋଟ ୨ ଲକ୍ଷ ୪୧ହଜାର ୮୧୩ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୭୬ହଜାର ୨୨୫ ଭୋଟର ମତଦାନ କରିଥିଲେ। ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେପିର ପଦ୍ମଲୋଚନ ପଣ୍ଡାଙ୍କୁ ୧୪ହଜାର ୯୫୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

2019ରେ କଂଗ୍ରେସର ଟାଣୁଆ ନେତା କୁହାଯାଉଥିବା ପଦ୍ମଲୋଚନ ପଣ୍ଡା ହଠାତ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏବେ ପୁଣି ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପଦ୍ମଲୋଚନ ତାଙ୍କ ପୁଅକୁ ମଧ୍ୟ ସାମ୍ନାକୁ ଆଣିଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବିଜେପିର ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ସଜ ହେଉଛନ୍ତି। ସେ କହିଛନ୍ତି, "କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବ ଦଳ ।"



ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଅଙ୍କକଷା, ବିରୋଧୀଙ୍କ ମୁଖ୍ୟ ମୁଦ୍ଦା 'ଡମ୍ପିଂୟାର୍ଡ ସମସ୍ୟା'

ଜଣେ ପରେ ଜଣେ ନେତା ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଅନ୍ୟ ଦଳକୁ ଡିଆଁ ମାରୁଥିବାବେଳେ ଦଳର ଅନ୍ତକନ୍ଦଳ ପଦାରେ ପଡିଛି । "ପଦ୍ମଲୋଚନ ପଣ୍ଡା ଏବଂ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବାର ବିଗତ ଅନେକ ନିର୍ବାଚନରେ ପାଳି କରି ଜିତି ଆସୁଛନ୍ତି। ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଅନେକ ଯୁବନେତା ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିଲେ ମଧ୍ୟ ପରିବାରବାଦ ରାଜନୀତି ଚାଲିଛି । କ'ଣ ସିମୁଳିଆ ପାଇଁ ଆଉ କେହି ଉପଯୁକ୍ତ ପ୍ରାର୍ଥୀ ନାହାନ୍ତି କି?", ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ଟିକେଟ୍ ଆଶାୟୀ ହିମାଂଶୁ ଶେଖର ବେହେରା ।

ସେପଟେ ବିଜେଡି ବିଧାୟକ ଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କହିବା କଥା, "ଖଇରା-ସିମୂଳିଆ ନିର୍ବାଚନ ମଣ୍ଡଳୀର ବିକାଶ ସବୁ ସ୍ତରରେ ହୋଇଛି । ୩ ପିଢି ଧରି ଆମ ପରିବାର ଲୋକଙ୍କ ସେବା କରିଆସୁଛି ।" ଏଭଳି ସ୍ଥିତିରେ ଚଳିତ ନିର୍ବାଚନରେ ସିମୁଳିଆ ନୂଆ ମୁହାଁ ଦେଖିବ ନା ପୁରୁଣା ଚେହେରା ପୁଣି ବାଜିମାତ କରିବେ ତାହାକୁ ନିର୍ବାଚନ ପରେ ସ୍ପଷ୍ଟ ହେବ ।



ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details