ବାଲେଶ୍ବର : ଶୁଣୁନି ପ୍ରଶାସନ, ତିଆରି ହୋଇପାରୁନି ରାସ୍ତା । ଫଳରେ ଯାତାୟତକୁ ନେଇ ସମସ୍ୟା ଭୋଗୁଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଓ ଔପଦା ଗ୍ରାମବାସୀ । ଏହି ୨ଟି ଗାଁକୁ ଯିବାପାଇଁ ରାସ୍ତା ନଥିବାରୁ ଗାଁ ଲୋକେ ନାନା ହଇରାଣ ହେଉଛନ୍ତି । କେବେ ହେବ ଗଣ୍ଡିବେଡ଼ରୁ ଔପଦା ଯିବାକୁ ରାସ୍ତା ସେନେଇ ଅପେକ୍ଷାରେ ଅଛନ୍ତି ଗ୍ରାମବାସୀ ।
ସୂଚନାନୁସାରେ ରାଜ୍ୟସରକାର ସଡ଼କ ଓ ପରିବହନ ଦିଗରେ ଅନେକ ଉନ୍ନତି କଥା ଚିନ୍ତା କରୁଛନ୍ତି । ଏଥିଲାଗି ଗାଁରୁ ସହର ସବୁଠି ରାସ୍ତା ସୁବିଧା କରାଯାଉଛି । ହେଲେ ସରକାରଙ୍କ ଯୋଜନା ଏଠାରେ ଫେଲ୍ ମାରିଛି । ଫଳରେ ଗଣ୍ଡିବେଡ଼ରୁ ଔପଦା ଯିବାଆସିବା ସମୟରେ ବହୁ ଅସୁବିଧା ହେଉଛି ।
ରାସ୍ତାର ପ୍ରଶସ୍ତିକରଣ କରାଯାଉଛି । ରାସ୍ତା କଡରେ ଦୋକାନ କରି ପେଟ ପୋଷୁଥିବା ଦୋକାନୀମାନଙ୍କୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସବୁ ପରେ ବି ଯେଉଁ ରାସ୍ତା ନିର୍ମାଣ ପାଇଁ ଅନେକଗୁଡିଏ ଗଛ କିମ୍ବା ଦୋକାନ ଉଚ୍ଛେଦ ହେଉଛି ସେହି ରାସ୍ତା ନିର୍ମାଣ ଏଯାଏଁ ହୋଇପାରିନି । ଠିକାଦାରଙ୍କ ମନମୁଖୀରେ ରାସ୍ତା ନିର୍ମାଣ ହେଉଥିବାରୁ ତାହା ଏଯାଏଁ ସରିପାରିନି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ରୁ ଔପଦା ରାସ୍ତା ନିର୍ମାଣରେ ସାମ୍ନାକୁ ଆସିଛି ଏଭଳି ।
ଗଣ୍ଡିବେଡରୁ ଔପଦା ୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ମଞ୍ଜୁରୀ ମିଳିଥିଲା । ଗତ ଜୁଲାଇ ମାସରେ ସିମୁଳିଆ ବିଧାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରାୟ ଏକମାସ ପରେ ସମ୍ପୃକ୍ତ ଠିକାଦାର ବର୍ଷା ଦିନରେ ମଧ୍ୟ ରାସ୍ତାର ଦୁଇକଡ଼ରେ ଚିପ୍ସରେ ସିମେଣ୍ଟ ମିଶାଇ ପ୍ୟାକ୍ ଦେଇଥିଲେ। ସେବେଠାରୁ ରାସ୍ତା କାମ ଚାଲୁଥିବା ବେଳେ ଏବେ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ପୋଲ ଓ କଲଭର୍ଟ ନିର୍ମାଣ । କଲଭର୍ଟ ଓ ପୋଲ କାମ ଚାଲିଥିବା ବେଳେ ବ୍ୟବହୃତ ଚିପ୍ସ, ରଡ, ବାଲି ଓ ସିମେଣ୍ଟ ନିମ୍ନମାନର ହୋଇଥିବାରୁ କଲଭର୍ଟର ସ୍ଥାୟିତ୍ଵ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।