ଓଡିଶା

odisha

ETV Bharat / state

ପଟିଦିଅଁ ଅଙ୍କନ ଉତ୍ସବ ଶେଷ, ଶ୍ରୀବିଗ୍ରହଙ୍କ ରୂପରେ ମନ୍ଦିରକୁ କରିବେ ବିଜେ - ଉତ୍କଳ ମୁକ୍ତମଞ୍ଚ

ନୋସି ବିଜନେସ ପାର୍କର ଉତ୍କଳ ମୁକ୍ତମଞ୍ଚରେ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ପ୍ରଥା ପରମ୍ପରାରେ ଆୟୋଜିତ ହୋଇଛି ନବମ ପଟିଦିଅଁ ଅଙ୍କନ ଉତ୍ସବ। ବାଲେଶ୍ବରର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା ପାଇବେ ପଟିଦିଅଁ ପ୍ରସ୍ତୁତି ।

ପୂଜା ପାଇବେ ପଟିଦିଅଁ
ପୂଜା ପାଇବେ ପଟିଦିଅଁ

By

Published : Jun 4, 2023, 7:51 PM IST

Updated : Jun 4, 2023, 9:15 PM IST

ପଟିଦିଅଁ ଅଙ୍କନ ଉତ୍ସବ

ବାଲେଶ୍ବର: ସ୍ନାନ ଯାତ୍ରାରେ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ମହାପ୍ରଭୁ ଅଣସର ଘରେ ରହିବା ପରେ ଭକ୍ତଙ୍କୁ ପଟିଦିଅଁ ରୂପରେ ଦର୍ଶନ ଦେବେ । ଏହାକୁ ନେଇ ପୁରୀ ସମେତ ବିଭିନ୍ନ ସ୍ଥାନରେ ଚିତ୍ରକର ମାନେ ପଟିଦିଅଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ବାଲେଶ୍ବରର ନୋସି କଳଚରାଲ ଏକାଡେମୀ ଓ ବାଲେଶ୍ଵରୀ କଳା କେନ୍ଦ୍ରର ମିଳିତ ସହଯୋଗ ତଥା ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସହାୟତାରେ ଚାଲିଛି ପଟିଦିଅଁ ପାଇଁ ଚିତ୍ରାଙ୍କନ । ନୋସି ବିଜନେସ ପାର୍କର ଉତ୍କଳ ମୁକ୍ତମଞ୍ଚରେ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ପ୍ରଥା ପରମ୍ପରାରେ ନବମ ପଟିଦିଅଁ ଅଙ୍କନ ଉତ୍ସବ ଆୟୋଜନ ହୋଇଛି ।

ବାସୁଦେବ ଶ୍ରୀ ବଳଭଦ୍ର, ଅନନ୍ତ ନାରାୟଣ ରୂପରେ ଶ୍ରୀ ଜଗନ୍ନାଥ ଏବଂ ମା' ଭୁବନେଶ୍ୱରୀ ବେଶରେ ଦର୍ଶନ ଦେବେ ଦେବୀ ସୁଭଦ୍ରା । ତେବେ ଚିତ୍ରକର ଅରୁଣ କୁମାର ବାରିକ ବାସୁଦେବଙ୍କ ଚିତ୍ରାଙ୍କନ କରିଥିବାବେଳେ ଅନନ୍ତ ନାରାୟଣଙ୍କ ଚିତ୍ର ଆଙ୍କିଛନ୍ତି ଶିଳ୍ପୀ କେଶୁ ଦାସ ଓ ମା' ଭୁବନେଶ୍ୱରୀଙ୍କ ଚିତ୍ର ଭବାନୀ ନାୟକ ଆଙ୍କିବା ପାଇଁ ସ୍ୱୀକୃତି ନେଇଛନ୍ତି । ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପରେ ତାଙ୍କୁ ଜ୍ୱର ହୋଇଥାଏ । ଏଥିପାଇଁ ମହାପ୍ରଭୁ ଅଣସରରେ ରହିଥାନ୍ତି । ଏହି ସମୟରେ ମହାପ୍ରଭୁ ପଟିଦିଅଁ ଭାବେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଏହି ପଟିଦିଅଁ ଆଙ୍କିବା ପାଇଁ ସ୍ୱତନ୍ତ୍ର ଭାବେ ଶିଳ୍ପୀମାନେ ନିଜକୁ ପ୍ରସ୍ତୁତ କରିଥାନ୍ତି । ଧୁଆ ଲୁଗା ସାଙ୍ଗକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କୁ ରହିବାକୁ ପଡିଥାଏ । ଆମିଷ ଓ ପିଆଜ ରସୁଣ ବର୍ଜନ କରି କେବଳ ସାତ୍ତ୍ବିକ ଆହାର ଭକ୍ଷଣ କରି ଶିଳ୍ପୀମାନେ ମହାପ୍ରଭୁଙ୍କ ପଟିଦିଅଁ ଆଙ୍କିଥାନ୍ତି । ଏଥିପାଇଁ ଶିଳ୍ପୀମାନଙ୍କୁ ପବିତ୍ର ଅକ୍ଷ ତୃତୀୟା ଠାରୁ ପଟିଦିଅଁ ଆଙ୍କିବା ପାଇଁ ସ୍ୱୀକୃତି ମିଳିଥିବାବେଳେ ସ୍ନାନ ପୂର୍ଣ୍ଣିମାର ୭ ଦିନ ପୂର୍ବରୁ ଏହି ଅଙ୍କନ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

ତେବେ ପଟିଦିଅଁ ଆଙ୍କିବା ପାଇଁ କେବଳ ହାତ ତିଆରି କାନଭାସ ବ୍ୟବହାର କରାଯାଇଥାଏ । ଏଥିପାଇଁ ଧଳା ଚୁନ ପଥରର ପାଉଡର, ବେଲ ଓ କଇଁଥ ମଞ୍ଜିରେ ପ୍ରସ୍ତୁତ ଅଠାର ବ୍ୟବହାର ହୋଇଥାଏ। ଏହାସହ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ପଟିଦିଅଁ ଅଙ୍କାଯାଇଥାଏ । ଯେମିତିକି ଗେରୁମାଟି, ଧଳା ଚୂନ ପଥର, ଦୀପ ଜଳି ସାରିବା ପରେ ତାହାର କଳା ଅଂଶ, ହଳଦୀ କିମ୍ବା ହଳଦିଆ ପଥର ଏବଂ ସବୁଜ ସାବୁନରୁ ରଙ୍ଗ ପ୍ରସ୍ତୁତ କରି ପଟିଦିଅଁଙ୍କୁ ଚିତ୍ରିତ କରାଯାଏ । ପ୍ରାୟ 9 ବର୍ଷ ଧରି ଏମିତି ପ୍ରୟାସ ବାଲେଶ୍ଵରରେ ଚାଲି ଆସୁଛି । ଶିଳ୍ପୀ କେଶୁ ଦାସଙ୍କ ପ୍ରଚେଷ୍ଟାରେ ଅନେକ ଚିତ୍ରଶିଳ୍ପୀ ଏଥିରେ ସାମିଲ ହେଉଛନ୍ତି । ବାଲେଶ୍ଵରର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରକୁ ଏହି ପଟିଦିଅଁ ଯାଇ ସେଠାରେ ପୂଜା ପାଇବେ ବୋଲି କୁହାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 4, 2023, 9:15 PM IST

ABOUT THE AUTHOR

...view details