ବାଲେଶ୍ବର: ଆଜିର ଅତ୍ୟାଧୁନିକ ଯୁଗରେ ଅତ୍ୟାଧୁନିକ ଚିତ୍ରକଳା ଭିତରେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ଚଳାଇଛନ୍ତି ପ୍ରୟାସ । ପାଠପଢ଼ା ଠାରୁ ଅଧିକ ଆଗ୍ରହ ଓ ଉତ୍ସାହ ନେଇ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ଆଙ୍କିବାରେ କରୁଛନ୍ତି ମନୋନିବେଶ । ପଟ୍ଟଚିତ୍ର ଅତ୍ୟନ୍ତ ସୂକ୍ଷ୍ମ ଚିତ୍ରକଳା ହୋଇଥିବା ବେଳେ ଅତ୍ୟାଧୁନିକ ଚିତ୍ର ସହଜ ହୋଇଥାଏ । ମାତ୍ର ସେ ଅତି ନିଖୁଣ ଭାବେ ପଟ୍ଟଚିତ୍ର ଆଙ୍କିବାରେ ପୁରା ମାହିର। ଚିତ୍ରକଳା କଲେଜରୁ ଯୁକ୍ତଦୁଇ ପାସ କରିବା ପରେ ପଟିଦିଅଁ ବା ପଟ୍ଟଚିତ୍ର ଆଙ୍କିବାର ଜୁନୁନ ତାଙ୍କୁ ଦେଇଛି ସ୍ୱୀକୃତି । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଧୋବେଇତି ଗାଁର ଭବାନୀ ଶଙ୍କର ନାୟକ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପରେ ତାଙ୍କୁ ଜ୍ୱର ହୋଇଥାଏ । ଏଥିପାଇଁ ମହାପ୍ରଭୁ ଅଣସରରେ ରହିଥାନ୍ତି। ଏହି ସମୟରେ ମହାପ୍ରଭୁ ପଟିଦିଅଁ ଭାବେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ପଟିଦିଅଁ ଆଙ୍କିବା ପାଇଁ ସ୍ୱତନ୍ତ୍ର ଭାବେ ଶିଳ୍ପୀମାନେ ନିଜକୁ ପ୍ରସ୍ତୁତ କରିଥାନ୍ତି । ଧୁଆ ଲୁଗା ସାଙ୍ଗକୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ରହି ଆମିଷ ଓ ପିଆଜ ରସୁଣ ବର୍ଜନ କରି କେବଳ ସକାନ୍ନ ଭକ୍ଷଣ କରି ଶିଳ୍ପୀମାନେ ମହାପ୍ରଭୁଙ୍କ ପଟିଦିଅଁ ଆଙ୍କିଥାନ୍ତି । ଏଥିପାଇଁ ଶିଳ୍ପୀମାନଙ୍କୁ ପବିତ୍ର ଅକ୍ଷ ତୃତୀୟା ଠାରୁ ପଟିଦିଅଁ ଆଙ୍କିବା ପାଇଁ ସ୍ୱୀକୃତି ମିଳିଥାଏ।
ଏନେଇ ଭବାନୀ ଶଙ୍କର କହିଛନ୍ତି, "ସ୍ନାନ ପୂର୍ଣ୍ଣିମାର ୭ ଦିନ ପୂର୍ବରୁ ଏହି ପରମ୍ପରା ବା ଅଙ୍କନ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପଟିଦିଅଁ ଆଙ୍କିବା ପାଇଁ କେବଳ ହାତ ତିଆରି କାନଭାସ ବ୍ୟବହାର କରାଯାଇଥାଏ । ଏଥିପାଇଁ ଧଳା ଚୁନ ପଥରର ପାଉଡର, ବେଲ ଓ କଇଁଥ ମଞ୍ଜିର ଅଠାର ବ୍ୟବହାର ହୋଇଥାଏ। ଏହାସହ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ପଟିଦିଅଁ ଅଙ୍କାଯାଇଥାଏ । ଯେମିତିକି ଗେରୁମାଟି, ଧଳା ଚୂନ ପଥର, ଦୀପ ଜଳି ସାରିଥିବା ପରର କଳା ଅଂଶ, ହଳଦୀ କିମ୍ବା ହଳଦିଆ ପଥର ଏବଂ ସବୁଜ ସାବୁନରୁ ରଙ୍ଗ ପ୍ରସ୍ତୁତ କରି ପଟିଦିଅଁ ଅଙ୍କାଯାଇଥାଏ ।"