ବାଲେଶ୍ବର:ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । ପ୍ରଧାନଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ ଓ ଅଭିଭାବକ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରେ ।
ସୂଚନା ଅନୁସାରେ, କିଛି ଦିନ ପୂର୍ବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏ ନେଇ ଗ୍ରାମବାସୀ ଏବଂ ଅଭିଭାବକମାନେ ଖବର ପାଇବା ପରେ ସ୍କୁଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇ ଥିଲା। ତେବେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଜେନାଙ୍କୁ ଏ ବାବଦରେ ପ୍ରଶ୍ନ ପଚାରିବା ସମୟରେ ସେ କୌଣସି ଉତ୍ତର ନଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଏ ସମୟରେ ଗ୍ରାମବାସୀମାନେ ଗୋବିନ୍ଦଙ୍କୁ ଟଣାଓଟରା କରିବା ସହିତ ମାଡ଼ ମଧ୍ୟ ମାରିଥିଲେ ।
କିନ୍ତୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ସ୍କୁଲ ଭିତରୁ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା । ଅନ୍ୟପଟେ ଖବରପାଇ ସିଆରସିସି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଲୋକଙ୍କୁ ବୁଝାସୁଝା କରିବା ସହିତ ଯଦି ପ୍ରଧାନ ଶିକ୍ଷକ ଗୋବିନ୍ଦ ଏପରି ଘଟଣା ଘଟାଇଥିବେ ତାହେଲେ ତାଙ୍କ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ଗ୍ରାମବାସୀମାନେ ଶାନ୍ତ ହୋଇଥିଲେ। ତେବେ ପୂର୍ବରୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ଏଭଳି ଛାତ୍ରୀମାନଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ ରହିଛି ।