ବାଲେଶ୍ବର: କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ଭଉଣୀକୁ ସାଙ୍ଗରେ ନେଇ ଆସେ । ସେମିତି ଏକ ପରିବାର ଉପରେ ଏବେ ଦୁଃଖର ପାହାଡ଼ ଲଦି ହୋଇଯାଇଛି । ସଡ଼କ ଦୁର୍ଘଟଣାର ଶିକାର ହେବାପରେ ପୁଅର ଜୀବନ ବଞ୍ଚାଇବା ପାଇଁ ବାପା-ମାଆ ସର୍ବସ୍ବାନ୍ତ ହେବାପରେ ଏବେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି । ଆମ ପୁଅକୁ ବଞ୍ଚାଇ ଦିଅ, ତାକୁ ଭଲ କରିଦିଅ ବୋଲି ଠାକୁର, ମହାଦେବ ଠୁ ଆରମ୍ଭ କରି କାହିଁ କେତେ ବଡ ବଡିଆଙ୍କ ନିକଟରେ ମୀନତି କରୁଛନ୍ତି ଜଣେ ବୃଦ୍ଧ ଦମ୍ପତି । ଏପରିକି ପୁଅ ପାଇଁ ମଧ୍ୟ ବାର ଦୂଆର ବୁଲି ଭିକ ମାଗୁଛନ୍ତି ଏହି ଅସହାୟ ବାପା-ମାଆ ।
ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତର ବଡଗଡିଆ ଗ୍ରାମରେ । ଗ୍ରାମର ସୃଷ୍ଟିଧର ବେହେରାଙ୍କ ପୁଅ ଭବେଶ । କଲେଜ ପାଠ ସାରି ବାପାଙ୍କୁ ଘର କାମରେ ସାହାଯ୍ୟ କରୁଥିଲେ । ଘରୁ କ୍ଷୀର ନେଇ ଗାଁ ଗାଁ ବୁଲି ବିକ୍ରି କରନ୍ତି । ସବୁଦିନ ପରି ଗତ ଅଗଷ୍ଟ ମାସ ୧୩ ତାରିଖରେ ମଧ୍ୟ କ୍ଷୀର ବିକ୍ରି କରିବାକୁ ଯାଇଥିଲେ ଭବେଶ । ହେଲେ ୬୦ ନମ୍ବର ଜାତୀୟ ରାଜପଥରେ ଜଗିଥିଲା କାଳ । ହଠାତ୍ ବିପରୀତ ଦିଗରୁ ଆସୁଥିବା ଏକ କାର୍ ମାଡି ଯାଇଥିଲା ଭବେଶଙ୍କ ଉପରେ ।
ଗୁରୁତର ଅବସ୍ଥାରେ ପ୍ରଥମେ ବସ୍ତା ପରେ ବାଲେଶ୍ବର ମେଡିକାଲ୍ ତା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ଅସ୍ତ୍ରୋପଚାର ପରେବି ଭବେଶ ଏବେ କୋମାରେ । ଜିଇଁ ଥାଉ ଥାଉ ମୃତ୍ୟୁର ସଜା କାଟୁଛି ପୁଅ । ଏପରି ସ୍ଥିତି ଦେଖି କଉ ବାପା-ମାଆ ବି ସଯ୍ୟ କରିପାରିବ । ଶେଷରେ ବାଧ୍ୟ ହୋଇ ପୁଅର ଦୁର୍ଘଟଣା ସମୟର ଫଟୋ ଧରି ଭିଗ ମାଗୁଛନ୍ତି ଏହି ବୃଦ୍ଧ ଦମ୍ପତି ।