ବାଲେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ଶେଷ ହୋଇଛି ନାମାଙ୍କନ ଦାଖଲ । ଫେବୃୟାରୀ 16 ରୁ 24 ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । 26 ରୁ 28 ଯାଏଁ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ। ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ସଭାସମିତି । ପଡୁଛି ପ୍ରତିଶୃତିର ବର୍ଷା । ଗାଁ ମୁଖିଆ ପାଲଟିଛନ୍ତି ସର୍ବେସର୍ବା । ପଞ୍ଚାୟତର ବିକାଶ ପାଇଁ ଚାଲିଛି ଅଙ୍କକଷା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ନେତା ରଚୁଛନ୍ତି ରଣନୀତି । ପୁଣି ବ୍ଲକ ଅଧ୍ୟକ୍ଷ କେମିତି ହାତେଇବେ ପ୍ରସ୍ତୁତ ହେଉଛି ପ୍ରୟାସ । ସେପଟେ ମତଦାନ ପୂର୍ବରୁ ମତଦାତା ପରଖୁଛନ୍ତି ନେତାଙ୍କ ପ୍ରତିଶୃତି । ଭୋଟ ପାଇଁ ସାରା ରାଜ୍ୟରେ ଜିଲ୍ଲାୱାରୀ ହେଉଛି ସମୀକ୍ଷା । 2017 ରେ କଣ ଥିଲା କେଉଁ ଜିଲ୍ଲାରେ ସ୍ଥିତି । କେଉଁ ଦଳ କରିଥିଲା ବାଜିମାତ, କିଏ ହୋଇଥିଲା ଚିତପଟାଙ୍ଗ... ଏହାକୁ ନେଇ ଆଜି ଆମର ସ୍ବତନ୍ତ୍ର ସେଗମେଣ୍ଟ ‘ପଞ୍ଚାୟତ ଟକ୍କର’ ରେ ଦେଖିବା ଆଜି ବାଲେଶ୍ବର ସ୍ଥିତି ।
ଉଭୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲାର ଗୁରୁତ୍ବ ଯଥେଷ୍ଟ ରହିଛି । ଉତ୍ତର ଓଡିଶାର ଏହି ପ୍ରମୁଖ ଜିଲ୍ଲାର ଉତ୍ତରରେ ପଶ୍ଚିମବଙ୍ଗ ସୀମା ରହିଥିବା ବେଳେ, ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ ଭଦ୍ରକ ଓ ପଶ୍ଚିମରେ ରହିଛି କେନ୍ଦୁଝର ଜିଲ୍ଲା । ଜିଲ୍ଲା ଦେଇ ରାଜ୍ୟର ପ୍ରମୁଖ ବାଣିଜ୍ୟ ବ୍ୟବସାୟ ହେଉଥିବା ବେଳେ, ଏଠାରକ ପ୍ରମୁଖ ଅର୍ଥନୀତି ହେଉଛି କୃଷି । ଧାନ ମୀନ ପାନ ଏହି ଜିଲ୍ଲାର ପ୍ରମୁଖ ଅର୍ଥ ରୋଜଗାରର ମାଧ୍ୟମ । ତେବେ ଜିଲ୍ଲାର ଯେତିକି ବିକାଶ ହେବା କଥା ହୋଇନଥିଲେ ସୁଦ୍ଧା କିଛି କିଛି ବିକାଶ ହୋଇଛି । ଏହାସହ ଜିଲ୍ଲାରେ ପ୍ରତିରକ୍ଷା ଅନୁଷ୍ଠାନ ସ୍ଥାପନ ହୋଇଥିବା ବେଳେ, ମେଡିକାଲ କଲେଜ ମଧ୍ୟ ସ୍ଥାପନ ହୋଇପାରିଛି ।
ବାଲେଶ୍ବରର ସ୍ଥିତି...
ଜିଲ୍ଲାରେ ମୋଟ 12 ଟି ବ୍ଲକ ରହିଥିବା ବେଳେ, 8 ଟି ବିଧାନସଭା ଆସନ ରହିଛି । ଏହାସହ 45 ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ, ଜିଲ୍ଲାରେ 360 ଗ୍ରାମ ପଞ୍ଚାୟତ ଓ 4 ହଜାର 927 ଟି ୱାର୍ଡ ରହିଛି । ଜିଲ୍ଲାରେ ମୋଟ 23 ଲକ୍ଷ ରୁ ଅଧିକ ଜନସଂଖ୍ୟା ରହିଥିବା ବେଳେ, ଗ୍ରାମାଞ୍ଚଳ ଭୋଟର ସଂଖ୍ୟା ହେଉଛନ୍ତି 15 ଲକ୍ଷ ରୁ ଅଧିକ ।
କଣ ଥିଲା ସତର’ର ସ୍ଥିତି...